ଏ ବର୍ଷ ଶୀତ କମ୍‌

ଭୁବନେଶ୍ୱର, ୩୦ା୧୧ (ବ୍ୟୁରୋ): ବିଗତ ବର୍ଷଗୁଡ଼ିକ ତୁଳନାରେ ଚଳିତବର୍ଷ ଅଧିକ ଶୀତ ହେବ ନାହିଁ। ନଭେମ୍ବର ଶେଷ ହେବାକୁ ବସିଲାଣି ହେଲେ ଏ ପର୍ଯ୍ୟନ୍ତ ଭଲ ଭାବରେ ଶୀତ ପଡ଼ିନାହିଁ। ଆଗକୁ ମଧ୍ୟ ସେଭଳି ଶୀତ ହେବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ବିଗତବର୍ଷଗୁଡ଼ିକ ତୁଳନାରେ ଏ ବର୍ଷ ଡିସେମ୍ବରଠାରୁ ମାର୍ଚ୍ଚ ମଧ୍ୟରେ କମ୍‌ ଶୀତ ଅନୁଭୂତ ହେବ। ଏହି ସମୟରେ ହାରାହାରି ତାମପାତ୍ରା ଅନ୍ୟ ବର୍ଷ ତୁଳନାରେ ଅଧିକ ରହିବ। ସାରା ଦେଶରେ ଏପରି ଅନୁଭୂତ ହେବ। ତେବେ ଦେଶର ହିମାଳୟ ପାର୍ବତ୍ୟାଞ୍ଚଳ ଓ ଅତି ଉତ୍ତର ଭାଗରେ ଥଣ୍ଡା ରହିବ ବୋଲି ପାଣିପାଗ ବିଭାଗ କହିଛି। ଆଇଏମ୍‌ଡିର ସୂଚନାନୁସାରେ, ଅତି ଉତ୍ତର ଭାଗକୁ ଛାଡ଼ିଦେଲେ ଦେଶର ଅଧିକାଂଶ ଅଞ୍ଚଳରେ ହାରାହାରି ତାପମାତ୍ରା ସ୍ବାଭାବିକଠାରୁ ୦.୫ ଡିଗ୍ରୀ ସେଲସିୟସ ଅଧିକ ରହିବ। କେନ୍ଦ୍ରୀୟ ଓ ଉପକୂଳବର୍ତ୍ତୀ ଭାରତରେ ହାରାହାରି ତାପମାତ୍ରା ସ୍ବାଭାବିକଠାରୁ ୧ ଡିଗ୍ରୀ ସେଲସିୟସ ଅଧିକ ରହିବ ବୋଲି ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେପଟେ ଓଡ଼ିଶାରେ ମଧ୍ୟ ପୂର୍ବ ବର୍ଷ ଭଳି ଏଥର ବର୍ତ୍ତମାନ ସୁଦ୍ଧା ସେଭଳି ଶୀତ ଅନୁଭୂତ ହୋଇନାହିଁ। ତେବେ ରାତିରେ ବିଭିନ୍ନ ସ୍ଥାନରେ କୁହୁଡ଼ି ପ୍ରବଳ ହେଉଛି। ସକାଳ ପର୍ଯ୍ୟନ୍ତ କୁହୁଡ଼ି ରହୁଛି। ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଓ କୋରାପୁଟ ଜିଲାରେ କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।