ଏସ୍‌ସିବି ମେଡିକାଲରେ ୧୦୧ ଡେଙ୍ଗୁ ରୋଗୀ

କଟକ ଅଫିସ, ୧୦ା୧୦: ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। କିଛିଦିନ ଲଗାଣ ବର୍ଷା ହେବା ଯୋଗୁ ଡେଙ୍ଗୁ ଭୟଙ୍କର ରୂପ ନେବାରେ ଲାଗିଛି। ବୁଧବାର କଟକ ଏସ୍‌ସିବିରେ ମୋଟ୍‌ ୧୦୧ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୯୫ଜଣ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ଼ରେ ଚିକିତ୍ସିତ ହେଉଥିବାବେଳେ ଗୁରୁତର ଥିବା ୬ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେହିପରି ବୁଧବାର ଏସ୍‌ସିବି ମେଡିକାଲରେ ୧୫୫ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୩୪ଜଣଙ୍କ ରକ୍ତ ନମୁନା ଡେଙ୍ଗୁ ପଜିଟିଭ ରହିଥିବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲାର ୧୧, କଟକ ଜିଲାର ୭, କେନ୍ଦ୍ରାପଡାର ୭, ଯାଜପୁରର ୨, ଜଗତ୍‌ସିଂହପୁର, ଗଞ୍ଜାମ, ଢେଙ୍କାନାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ ଜିଲା ଓ ପଶ୍ଚିମବଙ୍ଗର ଜଣେ ରୋଗୀ ରହିଥିବା ଏସ୍‌ସିବି ଡେଙ୍ଗୁ ନୋଡାଲ ଅଫିସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତି କହିଛନ୍ତି।