ଏସ୍‌ସିବି ମେଡିକାଲରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ

କଟକ ଅଫିସ,୭।୨: କଟକ ଏସ୍‌ସିବି ମେଡିକାଲରେ ଚଳିତବର୍ଷର ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଭର୍ତ୍ତି ହୋଇଛନ୍ତି। ୩୦ ବର୍ଷୀୟ ଏହି ଯୁବକଙ୍କ ଘର ଢେଙ୍କାନାଳ ଜିଲାରେ ବୋଲି ଜଣାପଡ଼ିଛି। ପଲ୍ୟୁମନାରୀ ବିଭାଗ ଅଧୀନ ସ୍ବତନ୍ତ୍ର ୱାର୍ଡରେ ସେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତିନିଦିନ ଚିକିତ୍ସିତ ହେବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯିବ ବୋଲି ଏସ୍‌ସିବି ମେଡିକାଲ ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨ ତାରିଖରୁ ଯୁବକ ଜଣକ ଏଚ୍‌-୧ ଏନ୍‌-୧ ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ଲାଗି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେ ଏସ୍‌ସିବି ମେଡିକାଲକୁ ଆସିଥିଲେ। ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବାରୁ ପଜିଟିଭ୍‌ ବାହାରିଥିଲା। ଗତ ୩ ତାରିଖରେ ପୁଣି ଥରେ ନମୁନା ପରୀକ୍ଷା ପାଇଁ ଆରଏମଆରସି ପରୀକ୍ଷାଗାରକୁ ପଠାଯାଇଥିଲା। ସେଠାରୁ ମଧ୍ୟ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଗତ ୪ ତାରିଖରେ ତାଙ୍କ ରିପୋର୍ଟ ମିଳିବା ପରେ ଚିକିତ୍ସାକୁ ତ୍ୱରାନ୍ବିତ କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବାରୁ ଆଇସିୟୁର ଆବଶ୍ୟକତା ନାହିଁ ବୋଲି ଡା. ମହାରଣା କହିଛନ୍ତି। ୪ଦିନ ହେଲା ଚିକିତ୍ସା ଚାଲିଥିବାବେଳେ ଆଉ ୩ଦିନ ପରେ ଡିସ୍‌ଚାର୍ଜ କରାଯିବ। ସୂଚନାଯୋଗ୍ୟ, ଗତବର୍ଷ ୪୫ ଜଣ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ।