ଏସ୍‌ସିବି ଆସିବେ ଜଗା-କାଳିଆ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଓଡ଼ିଶା ଆସିବା ପାଇଁ ସ୍ଥିର ହୋଇଛି। ଦିଲ୍ଲୀ ଏମ୍ସରୁ ଏହି ଦୁଇଭାଇଙ୍କୁ କଟକ ଏସ୍‌ସିବି ମେଡିକାଲକୁ ଅଣାଯିବ। ତେବେ କେବେ ଆସିବେ ତାହା ଆସନ୍ତା ୭ଦିନ ମଧ୍ୟରେ ସ୍ଥିର ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଥିବା ଦୁଇଭାଇଙ୍କୁ ଅଲଗା କରିବା ପାଇଁ ଅପରେଶନ ସଫଳ ହୋଇଥିଲା। କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ ଜଗା ସେତେଟା ସୁସ୍ଥ ନ ଥିଲେ। ତେଣୁ ସେଠାରେ ହିଁ ଦୀର୍ଘଦିନ ହେବ ଦୁଇଭାଇ ଚିକିତ୍ସାଧୀନ ଅଛନ୍ତି। ତେବେ ସେମାନେ ଓଡ଼ିଶା ଆସି ଅନ୍ୟ କେଉଁଠି ଚିକିତ୍ସା କରିପାରିବେ ବୋଲି ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ କହିବା ପରେ ରାଜ୍ୟ ସରକାର ଦୁଇଭାଇଙ୍କୁ ଭୁବନଶ୍ୱର ଏମ୍ସରେ ରଖି ଚିକିତ୍ସା କରିବା ପାଇଁ ଚିନ୍ତା କରିଥିଲେ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ୱର ଏମ୍ସକୁ ଅନୁରୋଧ କରିଥିଲେ। କିନ୍ତୁ ଏମ୍ସ କର୍ତ୍ତୃପକ୍ଷ କୌଣସି ଉତ୍ତର ଦେଇ ନ ଥିଲେ। ତେବେ ବର୍ତ୍ତମାନ ଦୁଇଭାଇଙ୍କୁ କଟକ ଏସ୍‌ସିବିକୁ ଅଣାଯାଇ ଚିକିତ୍ସା କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।