ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର: ଯୋଡ଼ିହେଲା ଦୁଇ ଜଣଙ୍କ କଟା ହାତ

କଟକ ଅଫିସ,୭ା୬-ଦୁଇ ଜଣ ବ୍ୟକ୍ତିଙ୍କ କଟିଯାଇଥିବା ହାତକୁ ଯୋଡ଼ି ସେମାନଙ୍କ ଜୀବନରେ ବଞ୍ଚତ୍ବାର ନୂତନ ଆଶା ସଂଚାର କରିଛି ଏସ୍‌ସିବି ମେଡିକାଲ। ଏହାର ପ୍ଳାଷ୍ଟିକ୍‌ ସର୍ଜରୀ ବିଭାଗ ମୁଖ୍ୟ ତଥା ମେଡିକାଲ ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ ପ୍ରଫେସର ଡା. ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ୨୧ ଜଣିଆ ଡାକ୍ତରୀ ଟିମ୍‌ ପୃଥକ୍‌ ଅସ୍ତ୍ରୋପଚାର କରି କଟିଯାଇଥିବା ହାତକୁ ଉଭୟଙ୍କ ଶରୀରରେ ସଫଳ ପ୍ରତିରୋପଣ କରିଛନ୍ତି।
ସୂଚନା ଅନୁଯାୟୀ, ପୃଥକ୍‌ ଜମିଜମା ଗଣ୍ଡଗୋଳ ବେଳେ ହଣାକଟା ଯୋଗୁ ଗତ ୨୨ ତାରିଖରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଦେବୀ ପ୍ରସାଦ ସ୍ବାଇଁ ଓ ୨୮ରେ ଢେଙ୍କାନାଳର ମନୋଜ ମଲ୍ଲିକଙ୍କ ହାତ କଟିଯାଇଥିଲା ା ସମ୍ପର୍କୀୟମାନେ କଟା ହାତ ସହ ଉଭୟଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରିଥିଲେ। ପ୍ରଥମେ ରକ୍ତସ୍ରାବ ନିୟନ୍ତ୍ରଣ କରିବା ପରେ ଏସ୍‌ସିବିର ପ୍ଳାଷ୍ଟିକ୍‌ ସର୍ଜରୀ ଓ ନିଶ୍ଚେତକ ବିଭାଗର ୨୧ ଜଣିଆ ଡାକ୍ତରୀ ଟିମ୍‌ ଉଭୟଙ୍କ ଅସ୍ତ୍ରୋପଚାର କରି ସେମାନଙ୍କ ଶରୀରରେ କଟିଯାଇଥିବା ହାତର ପ୍ରତିରୋପଣ କରିଥିଲେ। ଏବେ ଉଭୟ ସୁସ୍ଥ ଥିବା ସହ ସେମାନଙ୍କ ହାତ ମଧ୍ୟ ସାମାନ୍ୟ କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି ବୋଲି ଡାକ୍ତରମାନେ କହିଛନ୍ତି।