Categories: ଗଞ୍ଜାମ

ଏସ୍‌ଡବ୍ଲ୍ୟୁଏମ୍‌ ପ୍ରକଳ୍ପ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ,୨୧ା୪-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିର୍ମାଣାଧୀନ ଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ(ଏସ୍‌ଡବ୍ଳ୍ୟୁଏମ) କାର୍ଯ୍ୟର ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି କାର୍ଯ୍ୟାଳୟ ସ୍ବତନ୍ତ୍ର ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାତାନନ୍‌ ଯୋଗଦେଇଥିଲେ ।

ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମହୁଡାଠାରେ ନିର୍ମାଣାଧୀନ ଥିବା କଠିନ ବର୍ଜ୍ୟବସ୍ତୁ ପ୍ରକଳ୍ପ  କାର୍ଯ୍ୟ ଉପରେ ସଚିବ ସମୀକ୍ଷା କରିଥିଲେ। ମହୁଡାରେ ୪୨ କୋଟି ଟଙ୍କା ବ୍ୟୟରେ ୩୪ ଏକର ଅଞ୍ଚଳରେ ନିର୍ମାଣାଧୀନ ଏହି ପ୍ରକଳ୍ପକୁ ଆସନ୍ତା ନଭେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ କରାଯିବା ଉପରେ ସଚିବ ଗୁରୁତ୍ୱ ଦେଇଥିଲେ। ଏହାବ୍ୟତୀତ ମହାନଗରକୁ ପ୍ଲାଷ୍ଟିକ, ପଲିଥିନ ମୁକ୍ତ ସହରରେ ପରିଣତ କରିବା ଉପରେ ଧ୍ୟାନ ଦେବା ସହ ଚଢାଉକୁ ଜୋର୍‌ଦାର କରିବାକୁ କହିଥିଲେ। ସହରରୁ ବାହାରୁଥିବା ପ୍ଲାଷ୍ଟିକ ଆବର୍ଜନାର ପୁନଃଚକ୍ରଣ ପଦ୍ଧତି, ସେପ୍ଟେଜ ବିଶୋଧନାଗାରେ ହେଉଥିବା ମଳ ପରିଚାଳନା ଉପରେ ବିିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ା

ଏହାପରେ ବ୍ରହ୍ମପୁରରେ ଖରାଦିନେ ଉତ୍କଟ ହେଉଥିବା ଜଳସଙ୍କଟର ସମାଧାନ ନେଇ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ା ଚଳିତ ଖରାଦିନେ ସହରବାସୀଙ୍କ ଜଳକଷ୍ଟ ଦୂର କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ନେଇ ସେ ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଟି. ଆଓ, ମ୍ୟୁନିସିପାଲ ଆଡମିନିଷ୍ଟ୍ରେଟର ସଂଗ୍ରାମଜିତ ନାୟକ, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀଯନ୍ତ୍ରୀ ଓ ବିଏମ୍‌ସିର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ା