Categories: ଜାତୀୟ

ଏଲ୍‌ଓସିରେ ପାକ୍‌ ସେନାର ଏଫ୍‌ଏମ୍‌ ଟ୍ରାନ୍ସମିଶନ ଷ୍ଟେଶନ: ଆତଙ୍କବାଦୀଙ୍କ ସହ କୋଡ୍‌ରେ ଯୋଗସୂତ୍ର

ନୂଆଦିଲ୍ଲୀ,୧୨ା୯(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରରେ ଆକ୍ରମଣ ଘଟାଇ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ପାକିସ୍ତାନୀ ସେନା ଉପତ୍ୟକାରେ ଥିବା ଆତଙ୍କବାଦୀମାନଙ୍କୁ ଏଥିଲାଗି ଉସୁକାଉଛି। ସେମାନଙ୍କ ସହ ଯୋଗାଯୋଗର ମାଧ୍ୟମ ଭାବେ ଏଫ୍‌ଏମ୍‌ ଟ୍ରାନ୍ସମିଶନର କୋଡ୍‌କୁ ବ୍ୟବହାର କରୁଛି। ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ନିକଟରେ ଟ୍ରାକିଂ କରି ଏଭଳି କୋଡ୍‌ ଓ୍ବାର୍ଡର ରହସ୍ୟ ଭେଦ କରିପାରିଛନ୍ତି।
ମିଳିଥିବା ସୂଚନାନୁସାରେ ପାକ୍‌-ଅଧିକୃତ କଶ୍ମୀର (ପିଓକେ) ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ପାକିସ୍ତାନୀ ସେନା କେତେକ ଏଫ୍‌ଏମ୍‌ ଟ୍ରାନ୍ସମିଶନ ଷ୍ଟେଶନ ପ୍ରତିଷ୍ଠା କରିଛି। ସେଠାରୁ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ସହ କୋଡ୍‌ ଓ୍ବାର୍ଡରେ ଯୋଗାଯୋଗ କରୁଛି। ଜୈଶ୍‌-ଇ-ମହମ୍ମଦ ପାଇଁ କୋଡ୍‌ ଓ୍ବାର୍ଡ ୬୬/୮୮ ହୋଇଥିବାବେଳେ ଲଶ୍କର-ଇ-ତୋଇବା ଲାଗି ଏ୩ ଏବଂ ଅଲ୍‌ ବଦର୍‌ ସକାଶେ ସଙ୍କେତ ରହିଛି ଡି୯। ଏଲ୍‌ଓସି ନିକଟରେ ଥିବା ଭେରି ହାଏ ଫ୍ରିକ୍ୱେନ୍ସି (ଭିଏଚ୍‌ଏଫ୍‌) ରେଡିଓ ଷ୍ଟେଶନଗୁଡ଼ିକରୁ କଶ୍ମୀରରେ ଥିବା ଆତଙ୍କବାଦୀଙ୍କୁ ନିୟମିତ ଭାବେ ସନ୍ଦେଶ ଯାଉଛି। ଆତଙ୍କବାଦୀ ଓ ସେମାନଙ୍କ ହ୍ୟାଣ୍ଡଲର୍ସ ଉକ୍ତ ମେସେଜ୍‌ଗୁଡ଼ିକୁ ସୀମାନ୍ତ ଗ୍ରାମ ଓ ଉପତ୍ୟକାବାସୀଙ୍କୁ ବିଭ୍ରାନ୍ତ କରି ହିଂସା ଭିଆଇବା ପାଇଁ ପ୍ରସାର କରୁଛନ୍ତି। ପାକିସ୍ତାନୀ ସେନାର ୧୦ କର୍ପ କମାଣ୍ଡରକୁ ସିଗ୍‌ନାଲ୍‌ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।

Share