Categories: ଜାତୀୟ

ଏଲ୍‌ଏସିରେ ଯୁଦ୍ଧ ଭଳି ସ୍ଥିତି

ନୂଆଦିଲ୍ଲୀ/ ଲେହ,୧୯ା୬:ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ସୈନ୍ୟ ମୃତାହତ ହେବା ପରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟ ଚାଲାକି କରି ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ ଉଦ୍ୟମ କଲେ ସେମାନଙ୍କୁ କଡ଼ା ଜବାବ ଦେବା ପାଇଁ ଯବାନମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଏଲ୍‌ଏସିରେ ଲାଗି ରହିଥିବା ଚରମ ଉତ୍ତେଜନାକୁ ଦୃଷ୍ଟିରେ ରଖି ଓ୍ବାର-ଲାଇକ୍‌ ଆଲର୍ଟ ବା ଯୁଦ୍ଧ ଭଳି ସତର୍କତା ଜାରି କରାଯାଇଛି।
ସୋମବାର ଅପରାହ୍ନରେ ଗଲ୍‌ଓ୍ବନ ଉପତ୍ୟକାରେ ଚାଇନା ପକ୍ଷରୁ କରାଯାଇଥିବା ଏକ ଟେଣ୍ଟକୁ ହଟାଇବା ପାଇଁ ଭାରତୀୟ ଯବାନମାନେ ସେଠାକୁ ଯାଇଥିଲେ। ପିଏଲ୍‌ଏ ସୈନ୍ୟମାନେ ଯବାନଙ୍କୁ ଆକ୍ରମଣ କରିବା ପରେ ୬ ଘଣ୍ଟା ଧରି ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ୍ୟ ମୃତାହତ ହୋଇଛନ୍ତି। ୩୪୮୮ କିମି ବିସ୍ତୃତ ଏଲ୍‌ଏସିକୁ ନେଇ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି ବୋଲି ଉଭୟ ପକ୍ଷରୁ କୁହାଯାଉଥିଲେ ହେଁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଏଲ୍‌ଏସିର ମୁଖ୍ୟତଃ ଗଲଓ୍ବାନ୍‌ ଉପତ୍ୟକା, ଦୌଲତ ବେଗ୍‌ ଓଲ୍ଡି, ଡେପସାଙ୍ଗ,ଚୁଶୁଲ ଓ ଅନ୍ୟ ଅଞ୍ଚଳରେ ଚାଇନା ଏହାର ସୈନ୍ୟ ସଂଖ୍ୟା ବଢ଼ାଇଛି। ଭାରତ ପକ୍ଷରୁ ଲଦାଖଠାରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ଏଲ୍‌ଏସିରେ ଯୁଦ୍ଧଭଳି ସତର୍କତା ଜାରି ହୋଇଥିବାବେଳେ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ହୋଇ ରହିଛି। ଫରଓ୍ବାର୍ଡ ଅଞ୍ଚଳରେ ଭାରତ ୧୫,୦୦୦ରୁ ଅଧିକ ଯବାନ ମୁତୟନ କରିଥିବାବେଳେ ଏହାଠାରୁ ଅଧିକ ସୈନ୍ୟ ସେମାନଙ୍କୁ ସମର୍ଥନ ଦେବାକୁ ସଜାଗ ହୋଇ ରହିଛନ୍ତି। ସାଉଥ୍‌ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାର ଶୀର୍ଷ ଅଧିକାରୀଙ୍କ ସହ ଲଦାଖ ସୀମା ସ୍ଥିତି ସମୀକ୍ଷା କରିବା ପରେ ଏହି ଖବର ସାମ୍‌ନାକୁ ଆସିଛି।
ସେପଟେ ଗଲଓ୍ବାନ ନଦୀପଥକୁ ଅବରୋଧ କରିବା ପାଇଁ ଚାଇନା ଉଦ୍ୟମ କରୁଥିବା ଜଣାପଡିଛି। ସଂଘର୍ଷ ସ୍ଥଳଠାରୁ ୧ କିଲୋମିଟର ଦୂରରେ ଚାଇନା ବୁଲ୍‌ଡୋଜର ଓ ଆର୍ଥମୁଭର ନିୟୋଜିତ କରିଥିବା ହାଇ ରିଜୋଲ୍ୟୁଶନ ସାଟେଲାଇଟ ଫଟୋରୁ ଦେଖିବାକୁ ମିଳିଛି।
ଲଦାଖ ସଂଲଗ୍ନ ଏଲ୍‌ଏସିରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବାବେଳେ ଲେହରେ ଅନିଶ୍ଚିତତା ଓ ଭୟର ବାତାବରଣ ଦେଖାଦେଇଛି। ଗୁରୁବାର ଲେହ ସହରରେ ଦେଖାଦେଇଥିଲା ଅସ୍ବାଭାବିକ ନୀରବତା। ଦୋକାନ ବଜାର ବନ୍ଦ ରହିଥିବାବେଳେ କରୋନା ମହାମାରୀ ଯୋଗୁ ରାସ୍ତାରେ କ୍ୱଚିତ୍‌ ଲୋକଙ୍କୁ ଦେଖିବାକୁ ମିଳିଥିଲା।

Share