ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ତଦାରଖ କଲେ ଜିଲାପାଳ

ରାଜକନିକା, ୨୨।୪ (ଡି.ଏନ୍‌.ଏ.)-କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ରାଜକନିକା ବ୍ଲକ ଗସ୍ତ କରିଛନ୍ତି। ଏହି ସମୟରେ ସେ ସିହୋପଡ଼ା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଆରମ୍ଭ ହେଇଥିବା କାର୍ଯ୍ୟର ତଦାରଖ କରିଛନ୍ତି। ସେ ପ୍ରଥମେ ମଡେଲ ପୋଖରୀ କାର୍ଯ୍ୟ ଦେଖିବା ସହିତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ମିଳିତ ସହଯୋଗରେ ପ୍ରସ୍ତୁତ ହେଉଥିବା ରନ୍ଧାଖାଦ୍ୟର ମାନ ଯାଞ୍ଚ କରିଥିଲେ। ସ୍ଥାନୀୟ ସରପଞ୍ଚ ମୀନକେତନ ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପ୍ରଧାନ, ଜି.ଆର. ଏସ୍‌ ଅଶୋକ କୁମାର ବରଜଙ୍କ ତତ୍ତ୍ୱାବଧାନରେ ଏସ୍‌ଏଚ୍‌ଜି ସଦସ୍ୟମାନେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଅସହାୟ ଓ ନିରାଶ୍ରୟଙ୍କୁ ବଣ୍ଟନ କରୁଛନ୍ତି। ଏହାପରେ ଜିଲାପାଳ କଣ୍ଟାପଡ଼ା ବଜାରରେ ଲକ୍‌ଡାଉନ୍‌ ସ୍ଥିତ ସମୀକ୍ଷା କରିବା ପରେ ଓଳାଭର ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ତେବେ ବ୍ଲକ ଅଞ୍ଚଳରେ ଲକ୍‌ଡାଉନ ନିୟମ କଡ଼ାକଡ଼ି କରିବାକୁ ଜିଲାପାଳ ବର୍ମା ରାଜକନିକା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ସ୍ଥାନୀୟ ବିଡିଓ ଡି.ଏସ୍‌. ଶୁଭଦର୍ଶୀ ଯୋଶୀ, ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ବେହେରା, ବ୍ଲକ ଉପ ନିର୍ବାହିଯନ୍ତ୍ରୀ ଶରତ ଚନ୍ଦ୍ର ଦାସ ଓ କନିଷ୍ଠ ଯନ୍ତ୍ରୀ ବିପିନି ଦାସ ପ୍ରମୁଖ ସାମିଲ ଥିଲେ।