ଏମ୍‌କେସିଜିରେ ପୁଣି ୨ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୧୭ା୩
ଗଞ୍ଜାମ ଜିଲାରେ ଏବେ କରୋନାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପର ସହର ବୁଲି ବିଭିନ୍ନ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଜିଲାରେ ୧୪୪ ଧାରା ଜାରି ହୋଇଛି। ଏମ୍‌କେସିଜି ମେଡିକାଲରେ ଗତ ୧୪ ତାରିଖରେ ୩ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ବେଳେ ସୋମବାର ପୁଣି ଜଣେ ୭୦ ବର୍ଷିୟା ବୃଦ୍ଧା ଓ ଇଞ୍ଜିନିୟରିଂ ଛାତ୍ର ଏହି ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ବୃଦ୍ଧା ଜଣକ ଦିଗପହଣ୍ଡି ଅଞ୍ଚଳର। ସେ ଫେବୃୟାରୀରେ ମାଉଣ୍ଟଆବୁ ଯାଇ ୫ ଦିନ ତଳେ ଗଁାକୁ ଫେରିଥିଲେ। ସ୍ବାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। କାଶ ନ କମିବାରୁ ତାଙ୍କୁ କରୋନା ୱାର୍ଡରେ ଭର୍ତ୍ତି କରାଯାଇଛି ବୋଲି ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ତାଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ଆରଏମ୍‌ଆରସିକୁ ପଠାଯାଇଛି। ସେହିପରି ବ୍ରହ୍ମପୁର ନିକଟ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର ନିକଟରେ କାଜାକସ୍ଥାନରେ ରହୁଥିବା ସମ୍ପର୍କୀୟଙ୍କ ପାଖକୁ ଯାଇ ସେଠାରୁ ଫେରିଥିଲେ। ତାଙ୍କ କାଶ ଛିଙ୍କ ନ କମିବାରୁ ସୋମବାର ସନ୍ଧ୍ୟାରେ ଏମ୍‌କେସିଜି କରୋନା ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି। ସ୍ବାବ୍‌ ସଂଗ୍ରହ କରି ମଙ୍ଗଳବାର ଆର୍‌ଏମ୍‌ଆର୍‌ସିକୁ ପଠାଯିବ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ।
ପୂର୍ବରୁ ଚିକିଟି ଅଞ୍ଚଳର ଦମ୍ପତି ଦୁବାଇର ଆବୁଧାବିରେ ଶ୍ରମିକ ଭାବେ କାମ କରୁଥିବାବେଳେ ନିକଟରେ ସେମାନେ ଗଁାକୁ ଫେରିଥିଲେ। ତାଙ୍କ କରୋନା ଭାଇରସ୍‌ ରିପୋର୍ଟ ସେଠାରେ ନେଗେଟିଭି ଥିବାବେଳେ ଗ୍ରାମବାସୀ ତାଙ୍କୁ ପୁଣିଥରେ ପରୀକ୍ଷା ପାଇଁ ଏମ୍‌କେସିଜିରେ ଭର୍ତ୍ତି କରିଥିଲେ। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଜଣେ ସନ୍ଦିଗ୍ଧ ମଧ୍ୟ ଏମ୍‌କେସିଜିରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ଲାଳ (ସ୍ବାବ) ପରୀକ୍ଷା ପାଇଁ ଆର୍‌ଏମଆରସିକୁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ରିପୋର୍ଟ ମିଳିନାହିଁ ବୋଲି ଅଧୀକ୍ଷକ ମିଶ୍ର କହିଛନ୍ତି। ୧୪ ତାରିଖ ସକାଳେ କୃଷ୍ଣପ୍ରସାଦ ଅଞ୍ଚଳର ଜଣେ କରୋନା ସନ୍ଦିଗ୍ଧ ଏମ୍‌କେସିଜିରେ ଭର୍ତ୍ତି ହୋଇଥିଲେ। ସେ ରାତିରେ ଫେରାର ହୋଇଯାଇଥିଲେ।୧୫ ତାରିଖରେ ଏମ୍‌କେସିଜି କର୍ତ୍ତୃପକ୍ଷ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। କୃଷ୍ଣପ୍ରସାଦ ଲୋକେ ସନ୍ଦିଗ୍ଧଙ୍କୁ ଗଁାରେ ରଖାଇ ନ ଦେବାରୁ ସେ ୧୫ ତାରିଖ ବିଳମ୍ବିତ ରାତିରେ ପୁଣିଥରେ ଏମ୍‌କେସିଜିକୁ ଫେରିଥିବା ଜଣାପଡିଛି।

Share