ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଓଡ଼ିଶାକୁ ପ୍ରଥମ ପୁରସ୍କାର

ଭୁବନେଶ୍ୱର,୨୮।୨: ଅଣୁ,କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିଭାଗ ଜାତୀୟ ସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀଙ୍କଠାରୁ ରାଜ୍ୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଏହି ପୁରସ୍କାର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଡ.ଅରୁଣ କୁମାର ପଣ୍ଡା, ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ସରୋଜ କୁମାର ହୋତା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ରାଜ୍ୟରେ ଖଣିଜ ସମ୍ପଦ ଭଣ୍ଡାର ଯୋଗୁ ଏହା ଶିଳ୍ପ କ୍ଷେତ୍ରରେ ଏକ ବହୁଳ ସମ୍ଭାବନା ସୃଷ୍ଟି କରିଛି। ନାଲ୍‌କୋ, ରାଉରକେଲା ଇସ୍ପାତ କାରଖାନା, ଏନ୍‌ଟିପିସି ଭଳି ଅନେକ ବୃହତ୍‌ ଶିଳ୍ପ ରାଜ୍ୟରେ ଉପସ୍ଥିତି ଜାହିର କରିଛନ୍ତି। ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ବିଭିନ୍ନ ସଂସ୍କାର ପ୍ରକ୍ରିୟା ଗ୍ରହଣ ଦ୍ୱାରା ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହୋଇପାରିଛନ୍ତି।