ଏମ୍‌ଏଲ୍‌ଓଏସ୍‌ରେ ପଞ୍ଜୀକୃତ ହେବେ ଡାକ୍ତର

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ ମେଡିକୋ ଲିଗାଲ ଓପିନିଅନ ସିଷ୍ଟମ୍‌ (ଏମ୍‌ଏଲ୍‌ଓଏସ୍‌)ରେ ପଞ୍ଜୀକୃତ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ‘ମୋ ସରକାର’ ଯୋଜନା ଆରମ୍ଭ ହେବାପରେ ଡାକ୍ତରମାନଙ୍କଠାରୁ ଆବଶ୍ୟକ ସ୍ଥଳେ ଆଇନଗତ ପରାମର୍ଶ ନେବା ପାଇଁ ଏକ ସ୍ବତନ୍ତ୍ର ୱେବସାଇଟ୍‌ ପ୍ରସ୍ତୁତ ହୋଇଛି। ୱେବସାଇଟ୍‌ରେ ଡାକ୍ତରମାନେ ନିଜକୁ ପଞ୍ଜୀକୃତ କରିବା ପରେ ଏହାର ଲାଭ ଉଠାଇ ପାରିବେ। ପୋଲିସ ବିଭାଗ ଅଧୀନ ରାଜ୍ୟ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ ଏହି ୱେବସାଇଟ୍‌ର ବ୍ୟବହାର ପାଇଁ ସ୍ବତନ୍ତ୍ର ଆଇଡି ଓ ପାସ୍‌ୱାର୍ଡ ପ୍ରସ୍ତୁତ କରିଛି। ତେବେ ଏହି କାର୍ଯ୍ୟକ୍ରମରେ ଏଯାବତ୍‌ ଡାକ୍ତରମାନଙ୍କ ପଞ୍ଜୀକରଣ ଆଶାନୁରୂପ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲାପାଳଙ୍କୁ ଲେଖିଥିବା ପତ୍ରରେ ନଭେମ୍ବର ୧୫ ସୁଦ୍ଧା ଯେପରି ସବୁ ଡାକ୍ତର ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି। ଏ ପ୍ରସଙ୍ଗରେ ଜିଲାପାଳମାନେ ମେଡିକାଲ କଲେଜ, ସିଡିଏମ୍‌ଓ ଏବଂ ଅନ୍ୟ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ସହ ପ୍ରତି ମାସରେ ନିୟମିତ ବ୍ୟବଧାନରେ ସମୀକ୍ଷା ବୈଠକ କରିବା ସହ କେଉଁ ଜିଲାରେ କେତେ ଡାକ୍ତର ଏମ୍‌ଏଲ୍‌ଓଏସ୍‌ରେ ପଞ୍ଜୀକରଣ କରିଛନ୍ତି ତାହାର ସାପ୍ତାହିକ ରିପୋର୍ଟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପଠାଇବାକୁ କୁହାଯାଇଛି। ସ୍ବାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ମେଡିକୋ ଲିଗାଲ ଓପିନିଅନ ସିଷ୍ଟମରେ ଡାକ୍ତରଙ୍କ ପଞ୍ଜୀକରଣ ସଂକ୍ରାନ୍ତୀୟ ଅଗ୍ରଗତି ବିଷୟରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇବେ।