ଏମାର ମଠ ଉଚ୍ଛେଦ ଜାରି: ମହନ୍ତଙ୍କୁ ନେଇ ବଢୁଛି ଉତ୍କଣ୍ଠା

ପୁରୀ ଅଫିସ, ୩୧ା୮: ବହୁଚର୍ଚ୍ଚିତ ଏମାର ମଠ ଭଙ୍ଗାକୁ ନେଇ ଦିନକୁ ଦିନ ନାନା ପ୍ରକାର ଚର୍ଚ୍ଚା ଚାଲିଛି। ତେବେ ଶୁକ୍ରବାର ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରି ମାଟିରେ ମିଶିଥିବା ବେଳେ ମଠର ୧୩ ଦୋକାନ ଘରକୁ ଉଚ୍ଛେଦ କରାଯାଇଛି। ହେଲେ ମୁଖ୍ୟ କୋଠାରେ ହାତ ମାରିପାରିନି ପ୍ରଶାସନ। ଏଥିରେ ମଠ ମହନ୍ତ ବାଧକ ସାଜିଥିବା କୁହାଯାଉଛି। ମହନ୍ତ ମଠରୁ ବାହାରୁ ନ ଥିବାରୁ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଫଳରେ ପ୍ରଶାସନ ପାଇଁ ଅଡୁଆ ବଢିବାରେ ଲାଗିଛି। ତେବେ ଏହାକୁ ପ୍ରଶାସନ ଅସ୍ବୀକାର କରିଥିବା ବେଳେ ମହନ୍ତ ଠାକୁରଙ୍କୁ ଛାଡି ବାହାରକୁ ଯିବେ ନାହିଁ ବୋଲି କହିବାରୁ ମହନ୍ତଙ୍କ ପାଇଁ ଏକ କଣ୍ଟେନର ଅଣାଯାଇଛି। ୩୫ ଫୁଟ ଲମ୍ବ ଏବଂ ୧୦ ଫୁଟ ଓସାର ବିଶିଷ୍ଟ ଏହି କଣ୍ଟେନରରେ ବର୍ତ୍ତମାନ ମହନ୍ତ ରହିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଏଥିରେ ବିଦ୍ୟୁତ୍‌ ସଂଯୋଗ ସହ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ମହନ୍ତ ବାହାରକୁ ନ ଆସିବା ଏବଂ କାହାରିକୁ ସାକ୍ଷାତ୍‌ ନ କରିବା ପ୍ରସଙ୍ଗକୁ ଅଧିକ ରହସ୍ୟମୟ କରିଛି। ମହନ୍ତ ଅସୁରକ୍ଷିତ ଏବଂ ଅବ୍ୟବହୃତ କୋଠା ଭାଙ୍ଗିବାକୁ ସହମତି ଜଣାଇଥିଲେ। କିନ୍ତୁ ଲାଇବ୍ରେରୀ ଭାଙ୍ଗିବାକୁ କହି ନ ଥିଲେ। ପ୍ରଶାସନ ତାଙ୍କ କଥା ନ ଶୁଣି ଏହାକୁ ଭାଙ୍ଗିଥିଲା। ତେଣୁ ଏହାକୁ ବିରୋଧ କରି ମହନ୍ତ ମଠ ଭିତରେ ମୌନବତ୍ରରେ ବସିଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ପ୍ରଶାସନ ଅସ୍ବୀକାର କରିଥିବାବେଳେ ସେମିତି କୌଣସି ସମସ୍ୟା ନାହିଁ। ଆଲୋଚନାରେ ମହନ୍ତ ସହଯୋଗ କରିଛନ୍ତି। ତେଣୁ ମହନ୍ତଙ୍କୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି।
ପୂର୍ବଦିନ ଭଳି ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିଲା ଏମାର ମଠ ଉଚ୍ଛେଦ କାର୍ଯ୍ୟ। ଭଙ୍ଗା ଯାଇଥିବା କୋଠି ଘରର ଭଗ୍ନାବଶେଷକୁ କୋଠି ଘର ଖାଲରେ ଭର୍ତ୍ତି କରାଯାଇ ସମତୁଲ କରାଯାଇଥିଲା। ଏହାପରେ ସିଂହଦ୍ୱାର ନିକଟରେ ଥିବା ମଠର ଦୋକାନ ଘର, ଲାଇବ୍ରେରିକୁ ଭଙ୍ଗା ଯାଇଥିଲା। ପ୍ରଥମେ ଲାଇବ୍ରେରି ପଛ ପାର୍ଶ୍ୱରୁ ଭଙ୍ଗା ଆରମ୍ଭ ହୋଇଥିଲା। ତୃତୀୟ ଦିନରେ ଏହି ତିନିମହଲା କୋଠାକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି। ଏ ନେଇ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି, ମହନ୍ତଙ୍କୁ ନେଇ ଯେଉଁ ପ୍ରକାର ଚର୍ଚ୍ଚା ସବୁ ଶୁଣିବାକୁ ମିଳୁଛି ସେଥିରେ କୌଣସି ସତ୍ୟତା ନାହିଁ। ଶୁକ୍ରବାର ଲାଇବ୍ରେରି କୋଠାକୁ ଭଙ୍ଗାଯିବା ଲାଗି ସ୍ଥିର ହୋଇଥିଲା। ଏହା ସମ୍ପୂର୍ଣ୍ଣ ଭାବେ ସଫା ହୋଇଗଲା ପରେ ମଠ ମୁଖ୍ୟ କୋଠା ଭଙ୍ଗାଯିବ। ମହନ୍ତଙ୍କ ପାଇଁ କଣ୍ଟେନର ଅଣାଯାଇଛି। ସେଥିରେ ବର୍ତ୍ତମାନ ମହନ୍ତ ରହିବେ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି।