ଏଫ୍‌ଏସ୍‌ଟିପି ପରିଦର୍ଶନ କଲେ ଅନ୍ତର୍ଜାତୀୟ ଟିମ୍‌

ଅନୁଗୋଳ ଅଫିସ୍‌, ୩୧।୧ – ଅନୁଗୋଳ ପୌରପାଳିକା ପକ୍ଷରୁ ପଞ୍ଚମହଲାରେ ନିର୍ମାଣ ହୋଇଥିବା ଫିକଲ ସ୍ଲଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏଫ୍‌ଏସ୍‌ଟିପି) ପରିଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ଟିମ୍‌। ଏହି ଟିମ୍‌ରେ ଆସିଥିବା ୫ ଜଣିଆ ସଦସ୍ୟ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ପୌର ପ୍ରଶାସନ ଓ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଏହାର ପରିଚାଳନା ନେଇ ପୌର ପ୍ରଶାସକ ତଥା ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ମଧ୍ୟ ଟିମ୍‌ ସଦସ୍ୟମାନେ ଆଲୋଚନା କରିଥିବା ଜଣାପଡ଼ିଛି। ଏହି ଟିମ୍‌ରେ ଆମେରିକାର ରାଡ଼ୁ ବ୍ୟାନ୍‌ ଓ ନେପାଳର ଅଚ୍ୟୁତ୍‌ ଟ୍ୟୁଟେଲ୍‌ଙ୍କ ସହ ଓଡ଼ିଶା ନିର୍ମଳ ପ୍ରୋଜେକ୍ଟର ୩ ଜଣ ଅଧିକାରୀ ଉପସ୍ଥିତ ଥିଲେ। ପ୍ଲାଣ୍ଟ ନିର୍ମାଣ ହେବା ପରେ କିପରି କାର୍ଯ୍ୟ କରୁଛି ତାହାର ଅନୁଧ୍ୟାନ କରିବାକୁ ପଞ୍ଚମହଲାସ୍ଥିତ ପ୍ଲାଣ୍ଟ ଅଞ୍ଚଳକୁ ଟିମ୍‌ ସଦସ୍ୟମାନେ ଯାଇଥିବାବେଳେ ସେଠାରେ କିପରି ଲୋକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ସେ ନେଇ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଏବେ ଟ୍ରାଏଲ ବେସ୍‌ରେ କାର୍ଯ୍ୟକାରୀ କରାଯାଉଥିବା ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ପ୍ଲାଣ୍ଟରେ ଲୋକବଳ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସଚେତନ, ଅବଗତ ହେବା ପାଇଁ ଏହି ଟିମ୍‌ ପରିଦର୍ଶନ କରିବାକୁ ଆସିଥିବା ନିର୍ବାହୀ ଅଧିକାରୀ କହିଛନ୍ତି। ଅନ୍ତର୍ଜାତୀୟ ସ୍ତରରୁ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରୋଜେକ୍ଟ ନିର୍ମଳକୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହା ଶେଷ ହେବା ପରେ ପ୍ରକଳ୍ପ କିପରି ନିର୍ମାଣ ହୋଇଛି, ରଖାଯାଇଥିବା ମାନଦଣ୍ଡ ପୂରଣ ହୋଇଛି କି ନାହିଁ, ସେ ନେଇ ଅର୍ଥ ପ୍ରଦାନ କରିଥିବା ଟିମ୍‌ ପରିଦର୍ଶନରେ ଆସିଥିବା ସୂଚନା ମିଳିଛି।