Categories: ଖେଳ

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ:ପୋଲାଣ୍ଡକୁ ହରାଇଲା ରୁଷିଆ

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚରେ ରୁଷିଆ ୩-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚରୁ ୬ ପଏଣ୍ଟ ସହିତ ରୁଷିଆ ପୁଲ୍‌‘ଏ’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଗ୍ରୁପରେ ଭାରତ ୨ ମ୍ୟାଚରୁ ୬ ପଏଣ୍ଟ ପାଇଥିବାରୁ ଶୀର୍ଷସ୍ଥାନ ବଜାୟ ରଖିଛି। ସୋମବାର ଭାରତ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ୪୩ତମ ର଼୍ୟାଙ୍କ୍‌ପ୍ରାପ୍ତ ଉଜ୍‌ବେକିସ୍ତାନକୁ ଭେଟିବ। ଏହି ମ୍ୟାଚରେ ଉଜ୍‌ବେକିସ୍ତାନ ଯଦି ସେମିତି ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି ନ କରେ ତେବେ ଭାରତ ସେମିଫାଇନାଲରେ ପ୍ରବେଶ କରିବ। ଏ କ୍ଷେତ୍ରରେ ରୁଷିଆ ଓ ପୋଲାଣ୍ଡ କ୍ରସ୍‌ ଓଭର ମ୍ୟାଚ ଖେଳିବେ। ପରିସଂଖ୍ୟାନ ଦୃଷ୍ଟିରୁ ଭାରତର ସେମିଫାଇନାଲ ପ୍ରବେଶ ଏକ ପ୍ରକାର ନିଶ୍ଚିତ ହୋଇଛି। କାରଣ ୬ ପଏଣ୍ଟ ପାଇଥିବା ଭାରତର ଗୋଲ ବ୍ୟବଧାନ +୧୨ ରହିଛି। ଅନ୍ୟପକ୍ଷରେ ରୁଷିଆର ଗୋଲ ବ୍ୟବଧାନ +୨ ରହିଛି। ତେଣୁ ଶେଷ ଲିଗ୍‌ ମ୍ୟାଚରେ ଉଜ୍‌ବେକିସ୍ତାନଠାରୁ କମ୍‌ ଗୋଲ ବ୍ୟବଧାନରେ ହାରିଲେ ମଧ୍ୟ ଭାରତ ସେମିଫାଇନାଲରେ ପ୍ରବେଶ କରିବାରେ କୌଣସି ଅସୁବିଧା ହେବନାହିଁ।

Share