ଏପ୍ରିଲ ୩ରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ ବଣ୍ଟାଯିବ

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ପାଠ୍ୟପୁସ୍ତକ ମୁଦ୍ରଣ ଓ ବିତରଣ ସମ୍ବନ୍ଧୀୟ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆବଶ୍ୟକ ଥିବା ୨,୪୯,୫୪,୧୨୭ ପାଠ୍ୟପୁସ୍ତକ ମଧ୍ୟରୁ ୨,୪୨,୧୪,୭୧୨ ପାଠ୍ୟପୁସ୍ତକ ବିଦ୍ୟାଳୟଗୁଡ଼ିକୁ ବିତରଣ କରାଯାଇଛି। ଯାହାକି ୯୯ ପ୍ରତିଶତ ଅଟେ। ଆସନ୍ତା ଏପ୍ରିଲ ୩ତାରିଖରେ ହେବାକୁ ଥିବା ପ୍ରବେଶ ଉତ୍ସବ ସମୟରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ ବିତରଣ କରାଯିବାକୁ ସ୍ଥିର ହୋଇଛି। ସେହିପରି ନବମ ଓ ଦଶମ ଶ୍ରେଣୀସ୍ତରରେ ଆବଶ୍ୟକ ପଡ଼ୁଥିବା ପ୍ରାୟ ୮ ଲକ୍ଷ ପାଠ୍ୟପୁସ୍ତକ ମୁଦ୍ରଣ କରାଯାଇ ୨୦ ତାରିଖ ସୁଦ୍ଧା ସମସ୍ତ ବିତରଣକାରୀଙ୍କୁ ଅବଗତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହିତ ମାର୍ଚ୍ଚ ୨୪ ତାରିଖରୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୨.୫ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାର୍ଥୀଙ୍କ ପାଇଁ ମାଗଣା ପାଠ୍ୟପୁସ୍ତକ ବିତରଣ ଏହି ସମୟ ମଧ୍ୟରେ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷଠାରୁ ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିତରଣ ନିର୍ଦ୍ଦେଶାଳୟ ବର୍ଷ ତମାମ କାର୍ଯ୍ୟକ୍ରମର ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ବୈଠକରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଶାସନ ସଚିବ ରମେଶ କେର୍‌କେଟା, ଯୁଗ୍ମ ଶାସନ ସଚିବ ପ୍ରତାପ କୁମାର ମିଶ୍ର, ଯୁଗ୍ମ ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଶିକ୍ଷା ପରାମର୍ଶଦାତା ଖଗେନ୍ଦ୍ର କୁମାର ପାଢ଼ୀ, ଉପନିର୍ଦ୍ଦେଶକ ତଥା ଉପଶାସନ ସଚିବ ପ୍ରଣତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।