ଏପ୍ରିଲରୁ ଧାନ ବିକି ଟଙ୍କା ପାଇ ନ ଥିବା ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୦ା୧୨(ଡି.ଏନ୍‌.ଏ.)- ଗତ ଏପ୍ରିଲ ମାସରେ ଧାନ ବିକ୍ରି କରି ପାଉଣା ପାଇ ନ ଥିବାରୁ ଏହାର ପ୍ରତିବାଦରେ ଚାଷୀମାନେ ମଙ୍ଗଳବାର ଭଣ୍ଡାରିପୋଖରୀ ବ୍ଲକ ନଗୁଁଆ ସେବା ସମବାୟ ସମିତିରେ ତାଲା ପକାଇ ଧାରଣା ଦେଇଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଆସି ନଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଧାରଣା ଦେଇଥିବା ଦର୍ଶାଇଛନ୍ତି ଯେ, ଏଠାକାର ୨୭ ଜଣ ଚାଷୀ ୬୯୯ କୁଇଣ୍ଟାଲ ଧାନ ଗି ଏପ୍ରିଲ ମାସରେ ବିକ୍ରି କରିଥିଲେ। ନଗୁଁଆ ସେବା ସମବାୟ ସମିତି ପକ୍ଷରୁ ସେମାନଙ୍କୁ ରସିଦ୍‌ ଦିଆଯାଇଥିଲା। ଏହାମଧ୍ୟରେ ୭ ମାସ ବିତି ଯାଇଥିଲେ ବି ସେମାନଙ୍କୁ ଧାନବିକ୍ରି ବାବଦ ଟଙ୍କା ମିଳି ନାହିଁ । ଅଫ୍‌ଲାଇନରେ ଏହି ଧାନ କିଣାଯାଇଥିଲା। ସମିତିର ସଭାପତି ରମେଶ ଭାରତୀଙ୍କ ସହ ସମ୍ପାଦକ ସଞ୍ଜୟ ମଲିକ ଗତମାସ ୨୮ତାରିଖରେ ସମ୍ପୃକ୍ତ ମିଲ୍‌ ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ସେ ଧାନର ମୂଲ୍ୟ କମ୍‌ କରି ଦେବାକୁ କହିବାରୁ ଚାଷୀମାନେ ରାଜି ନ ହୋଇ ସମିତିରେ ଅଫିସରେ ତାଲା ପକାଇ ଧାରଣା ଦେଇଥିବା କହିଛନ୍ତି। ଏନେଇ ସେମାନେ ଭଦ୍ରକ ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ଦେଇଛନ୍ତି। ଆଗାମୀ ୩ ଦିନ ଭିତରେ ସମସ୍ୟାର ସମାଧାନ ନ ହେଲେ ଏହି ୨୭ ଜଣ ଚାଷୀଙ୍କ ସପରିବାର ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଚାଷୀ ମନୋରମା ନାୟକ, ନନ୍ଦକିଶୋର ସାହୁ, ସନ୍ତୋଷ ରାଉତ, ରମାକାନ୍ତ ବାରିକ, ଅଶୋକ ତ୍ରିପାଠୀ, ଅନୀଲ ଲେଙ୍କା ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଛନ୍ତି।