ଏନ୍‌ସେଫାଲାଇଟିସ୍‌ ଜିଲା ଟାସ୍କଫୋର୍ସ ବୈଠକ:୧୧ ନଭେମ୍ବରରୁ ଟିକାକରଣ

ଅନୁଗୋଳ ଅଫିସ, ୧୯ା୧୦

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକାକରଣ ଅଭିଯାନର ଜିଲା ଟାସ୍କ ଫୋର୍ସ ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରଶିକ୍ଷଣ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଏଥିରେ ଅଧ୍ୟକ୍ଷତା କରି ଟିକାକରଣ ଅଭିଯାନର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିବା ସହ ଜଣେ ବି ପିଲା ଯେପରି ଏଥିରୁ ବାଦ୍‌ ନ ପଡ଼ନ୍ତି ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ବିଶେଷ ଯନତ୍ବାନ ହେବାକୁ ପରାମର୍ଶ ଦେଇଛନ୍ତି। ମିଳିମିଳା ଓ ରୁବେଲା କାର୍ଯ୍ୟକ୍ରମ ଭଳି ଏହି କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ନଭେମ୍ବର ୧୧ ତାରିଖରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।
ମାଲକାନଗିରିରେ ୨୦୦୪ରେ ମାରାତ୍ମକ ଜାପାନିଜ ଏନ୍‌ସେଫାଲାଇଟିସ୍‌ ରୋଗରେ ୧୦୩ ଜଣ ପିଲା ମୃତ୍ୟୁମୁଖରେ ପଡ଼ିଥିଲେ। ପରେ ରୋଗର ଭୟାବହତା ସମ୍ପର୍କରେ ଜିଲାସ୍ତରରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଅନୁଗୋଳରେ ଏ ପର୍ଯ୍ୟନ୍ତ କେହି ଆକ୍ରାନ୍ତ ହେବାର ସୂଚନା ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲାର ୧୯୬୬ଟି ବିଦ୍ୟାଳୟରେ ୩ ଲକ୍ଷ ୬୪ ହଜାର ପିଲାମାନଙ୍କୁ (୧ରୁ ୧୫ ବର୍ଷ ପର୍ଯ୍ୟନ୍ତ) ଏହି ଟିକା ପ୍ରଦାନ କରାଯିବ। ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବାକୁ ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏଥିସହ ସବୁସ୍ତରର ଲୋକଙ୍କ ନିକଟରେ କିପରି ସଚେତନତା ବାର୍ତ୍ତା ପହଞ୍ଚିପାରିବ ସେ ଦିଗରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ଅଙ୍ଗନୱାଡି କେନ୍ଦ୍ର ଓ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ଗୁଡ଼ିକରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସର୍ଭେଲାନ୍ସ ମେଡିକାଲ ଅଫିସର ଡା. ସନ୍ତୋଷ କୁମାର ସାହୁ ସାଧନକର୍ମୀ ଭାବେ ଯୋଗଦେଇ ପାୱାର ପଏଣ୍ଟ ମାଧ୍ୟମରେ ଏହି ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ମଶା, ଘୁଷୁରି, ମାଛରଙ୍କା ଚଢେଇ, ବତକ ଏହି ରୋଗର ବାହକ ଅଟନ୍ତି। ଧାନ ଚାଷ ହେଉଥିବା ବିଲରେ ପାଣି ଜମି ରହିଲେ ସେଠାରେ ଏହି ମଶା ସେଠାରେ ବଂଶ ବିସ୍ତାର କରିଥାନ୍ତି ବୋଲି ସେ ପ୍ରକାଶ କରିଥିଲେ। ଜିଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଏହି ଅଭିଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅମରେନ୍ଦ୍ରନାଥ ମହାନ୍ତି ଟିକାକରଣ ଅଭିଯାନକୁ ସମ୍ମିଳିତ ଭାବେ ସଫଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡା. ରାକେଶ କୁମାର ସାହୁ, ୟୁନିସେଫ୍‌ର ପୁଷ୍ଟି ପରାମର୍ଶଦାତା ପ୍ରିୟବ୍ରତ ଦାସଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର କର୍ମକର୍ତ୍ତା ଓ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଶେଷରେ ଡିପିଏମ୍‌ଏନ୍‌ଏଚ୍‌ଏମ୍‌ ବିଶ୍ୱ ରଞ୍ଜନ ରଥ ଧନ୍ୟବାଦ ଦେଇଥିଲେ।