Categories: ଗଞ୍ଜାମ

ଏନ୍‌କାଉଣ୍ଟରରେ ଆହତ ଅଷ୍ଟମଙ୍କୁ ୭ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୫ା୫- ପୋଲିସ ଏନ୍‌କାଉଣ୍ଟର ବେଳେ ଅପରାଧୀଙ୍କ ଗୁଳିରେ ପୋଲିସ ଆହତ ହୋଇଥିବା ମାମଲାର ଶୁଣାଣି କରି ଅତିରିକ୍ତ ବିଚାର ବିଭାଗ ମାଜିଷ୍ଟ୍ରେଟ (ଏସିଜେଏମ) ସରୋଜ କୁମାର ଦାସ ପଶ୍ଚିମବଙ୍ଗ ମୁର୍ଶିିଦାବାଦର ଅଷ୍ଟମ ମଣ୍ଡଳଙ୍କୁ ୭ ବର୍ଷ ସଶ୍ରମ ଦାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଜରିମାନା ଅନାଦାୟ ଅଧିକ ୧୮ ମାସ ଜେଲ ଦଣ୍ଡରେ ଦଣ୍ଡିତ ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା କୋର୍ଟ ସୂତ୍ରରୁ ପ୍ରକାଶ।
ଯେ, ୨୦୧୬ ଅଗଷ୍ଟ ୩୦ରେ କେତେକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ରହିଥିବା ଗୋପାଳପୁର ପୋଲିସ ଖବର ପାଇ ପଥରା ନିକଟ କଳିଙ୍ଗ ବିହାରରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ସେଠାରେ ବସିଥିବା ଦୁଇଜଣ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ହାବୁଡ଼ରେ ଧରା ପଡ଼ିଯିବା ଭୟରେ ଅଷ୍ଟମ ମଣ୍ଡଳ ଗୁଳି ଚଳାଇଥିଲେ। ଏଥିରେ ତତ୍କାଳୀନ ଗୋପାଳପୁର ଥାନାଧିକାରୀ ପ୍ରଜ୍ଞା ପରମିତା ଜେନା ଆହତ ହୋଇଥିଲେ। ପୋଲିସ ଏହାର ଜବାବରେ ଅପରାଧୀଙ୍କୁ ଗୁଳିମାଡ଼ କରିଥିଲା। ଏଥିରେ ଅଷ୍ଟମ ଗୁରୁତର ହୋଇ ଗାଡ଼ିରୁ ଖସି ପଡ଼ିଥିଲେ। ପୋଲିସ ଅଷ୍ଟମଙ୍କୁ କାବୁ କରିବା ସହ ତାଙ୍କୁ ଏମକେସିଜିରେ ଭର୍ତ୍ତି କରିଥିଲା। ଅନ୍ୟପଟେ ଅଷ୍ଟମଙ୍କ ସହିତ ଥିବା ଜଣେ ନାବାଳକଙ୍କୁ ପୋଲିସ ଧରି ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇଥିଲା। ସୁସ୍ଥ ହେବା ପରେ ଅଷ୍ଟମଙ୍କୁ ମାମଲା ନଂ ୮୪/୧୬ରେ ଗିରଫ କରି ୨୦୧୬ ସେପ୍ଟେମ୍ବର ୨୨ରେ କୋର୍ଟଚାଲାଣ କରିଥିଲା। ଅଷ୍ଟମ ଓ ତାଙ୍କର କେତେକ ସହଯୋଗୀ ଗୋଳନ୍ଥରା ନିକଟ ଏକ ଘରୋଇ ଶିକ୍ଷାନୁଷ୍ଠାନର ସେଣ୍ଟ୍ରି କାମ ପାଇଁ ମୁର୍ଶିିଦାବାଦରୁ ବ୍ରହ୍ମପୁର ଆସିଥିଲେ ବୋଲି ସୂଚନା ଦେଇଥିଲା। ଘଟଣା ପରଠାରୁ ଅଭିଯୁକ୍ତ ଅଷ୍ଟମ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ଶୁକ୍ରବାର ଏହି ମାମଲାର ବିଚାର ବେଳେ ୧୯ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏସିଜେଏମ ଦାସ ଅଭିଯୁକ୍ତଙ୍କୁ ଉପରୋକ୍ତ ଦଣ୍ଡାଦେଶର ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଭି. ପ୍ରସନ୍ନ କୁମାର ପାତ୍ର ମକଦ୍ଦମା ପରିଚାଳନା କରିଥିଲେ।