Categories: ଜାତୀୟ

‘ଏନ୍‌ଆର୍‌ସି-ଏନ୍‌ପିଆର୍‌ ଗରିବଙ୍କ ଉପରେ ଟାକ୍ସ’

ନୂଆଦିଲ୍ଲୀ,୨୮ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହି ପ୍ରସଙ୍ଗରେ ଦୁଇଦଳ ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌କୁ ଲୋକଙ୍କ ଉପରେ ଏକ ଟିକସ ବୋଝ ବୋଲି ଅଭିହିତ କରିଥିବାବେଳେ ତାଙ୍କୁ ଏବର୍ଷର ସର୍ବଶ୍ରେଷ୍ଠ ମିଛୁଆ ବୋଲି କହିଛି ଭାଜପା।
ଛତିଶଗଡ଼ ରାଜଧାନୀ ରାୟପୁରରେ ଶୁକ୍ରବାର ଜାତୀୟ ଆଦିବାସୀ ନୃତ୍ୟୋତ୍ସବ ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ରାହୁଲ କହିଛନ୍ତି, ଏନ୍‌ଆର୍‌ସି ହେଉ କି ଏନ୍‌ପିଆର୍‌, ଏହା ଗରିବ ଲୋକଙ୍କ ଉପରେ ଏକ ଟାକ୍ସ। ବ୍ୟାଙ୍କକୁ ଗଲେ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ ହେଉନାହିଁ। ଗରିବ ଲୋକେ ଅଫିସରମାନଙ୍କ ନିକଟକୁ ଗଲେ ନିଜ ଦସ୍ତାବିଜ ଦେଖାଇବା ସହ ଲାଞ୍ଚ ଦେବାକୁ ପଡ଼ୁଛି। ଗରିବଙ୍କ ପକେଟରୁ କୋଟି କୋଟି ଟଙ୍କା ଛଡ଼ାଇ ନିଆଯାଇ ସମାନ ୧୫ ଜଣଙ୍କୁ ଦିଆଯାଉଛି। ଏହା ହେଉଛି ସତ୍ୟତା। ଏହା ହିଁ ଗରିବଙ୍କ ଉପରେ ଆକ୍ରମଣ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବୁଝିପାରୁନାହାନ୍ତି ଏବଂ ଦେଶର ସମୟ ବରବାଦ ହେଉଛି ବୋଲି ରାହୁଲ ସମାଲୋଚନା କରିଛନ୍ତି। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ରାହୁଲ ହେଉଛନ୍ତି ‘୨୦୧୯ର ସବୁଠୁ ବଡ଼ ମିଛୁଆ’। ରାହୁଲଙ୍କ ମନ୍ତବ୍ୟ ପାଇଁ କଂଗ୍ରେସ ଓ ତାଙ୍କ ପରିବାରକୁ ଲଜ୍ଜିତ ହେବାକୁ ପଡ଼ିଛି। କଂଗ୍ରେସ ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଛି। ନାଗରିକତ୍ୱ ଆଇନ ଏବଂ ଏନ୍‌ପିଆର୍‌ ଉପରେ ଲୋକେ ସରକାରଙ୍କୁ ସମର୍ଥନ କରନ୍ତୁ ବୋଲି ଜାଭଡେକର ଅନୁରୋଧ କରିଛନ୍ତି।

Share