ଏନ୍‌ଆର୍‌ସିର ଯଥାର୍ଥତା

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ ଅଗଷ୍ଟ ୩୧ରେ ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଅନ୍ତିମ ତାଲିକା ପ୍ରକାଶ ପାଇବା ପରେ ତାକୁ ନେଇ ଦେଶସାରା ଚର୍ଚ୍ଚା ଆରମ୍ଭ ହୋଇଛି। ଦୀର୍ଘ ଚାରି ବର୍ଷ ଧରି ଚାଲିଥିବା ଏହି ପ୍ରକ୍ରିୟା ଫଳରେ ସେଠାକାର ୧୯ ଲକ୍ଷ ଲୋକ ଅନ୍ତିମ ତାଲିକାରୁ ବାଦ୍‌ ପଡ଼ି ନିଜର ନାଗରିକତା ହରାଇବାକୁ ବସିଥିବା ବେଳେ ଶାସକ ନେତାମାନେ ଆଗାମୀ ଦିନରେ ତାକୁ ସାରା ଦେଶରେ ଲାଗୁ କରିବାକୁ ଘୋଷଣା କରିଛନ୍ତି।
ଦେଶର ଆଇନସମ୍ମତ ନାଗରିକମାନଙ୍କ ତାଲିକାଟି ହେଉଛି ଏନ୍‌ଆର୍‌ସି। ନାଗରିକତା ଆଇନ-୧୯୫୫ ଅନ୍ତର୍ଗତ ଏହି ପ୍ରକ୍ରିୟା ସର୍ବପ୍ରଥମେ ୧୯୫୦ ମସିହାରେ ଆସାମରେ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ଲାଗୁ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦୀର୍ଘ ବର୍ଷ ଧରି ଏହି ପଞ୍ଜିକା ସଂଶୋଧନ ନ ହେବା ଫଳରେ ସେଠାରେ ଅନୁପ୍ରବେଶ ସମସ୍ୟା ଉତ୍କଟ ଆକାର ଧାରଣ କରି ଭୟଙ୍କର ଜନ ଅସନ୍ତୋଷ ଓ ଅଶାନ୍ତିକୁ ଜନ୍ମ ଦେଇଥିଲା। ନିଜର ସାମାଜିକ, ରାଜନୈତିକ ସ୍ଥିତି, ଭାଷା, ସଂସ୍କୃତି ଓ ସର୍ବୋପରି ଜନସଂଖ୍ୟାର ସନ୍ତୁଳନକୁ ବଜାୟ ରଖିବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଆନ୍ଦୋଳନ କରିଥିଲେ। ୧୯୭୯ରୁ ୧୯୮୫ ଦୀର୍ଘ ଛଅ ବର୍ଷ ଧରି ଅଲ୍‌ ଆସାମ ଛାତ୍ର ସଂଗଠନ ବା ଆସୁ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ସବୁଠାରୁ ବଡ଼ ଆନ୍ଦୋଳନ ଥିଲା, ଯେଉଁଥିରେ ହଜାର ହଜାର ଯୁବଛାତ୍ର ଭାଗ ନେବା ସହ ବ୍ୟାପକ ହିଂସାକାଣ୍ଡ ଓ ଜୀବନହାନି ଘଟିଥିଲା।
ଅନୁପ୍ରବେଶକୁ କେନ୍ଦ୍ରକରି ସେଠାରେ ସୃଷ୍ଟି ହୋଇଥିବା ହିଂସା ଓ ଅଶାନ୍ତିକୁ ପ୍ରଶମିତ କରିବାକୁ ୧୯୮୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଉପସ୍ଥିତିରେ ଐତିହାସିକ ଆସାମ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ସେଥିରେ ୧୯୭୧ ମାର୍ଚ୍ଚ ୨୫କୁ ଅନ୍ତିମ ତାରିଖ ରୂପେ ଧାର୍ଯ୍ୟ କରି ରାଜ୍ୟରେ ଥିବା ସମସ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଚୁକ୍ତି ସ୍ବାକ୍ଷରର ଦୀର୍ଘ ତିନି ଦଶକ ମଧ୍ୟରେ ଉଭୟ କେନ୍ଦ୍ର ଓ ଆସାମରେ କଂଗ୍ରେସ, ଭାଜପା ଏପରିକି ଖୋଦ ଆନ୍ଦୋଳନର ନେତୃତ୍ୱ ନେଇଥିବା ଆସାମ ଗଣ ପରିଷଦର ଶାସନ ଥିଲେ ମଧ୍ୟ ଏହି ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ କେହି ବି ଉଦ୍ୟମ କରି ନ ଥିଲେ। କେବଳ ୨୦୧୫ରେ ଏକ ଜନସ୍ବାର୍ଥ ମାମଲାର ବିଚାର କରି ସୁପ୍ରିମ୍‌କୋର୍ଟ ସେଠାରେ ତୁରନ୍ତ ଏନ୍‌ଆର୍‌ସି ଜରିଆରେ ଅନୁପ୍ରବେଶକାରୀ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେବା ପରେ ଯାଇ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅତଏବ ଆସାମରେ ଏନ୍‌ଆର୍‌ସି ଲାଗୁ କରିବା ପଛରେ ଏହି ବିଶେଷ ପରିସ୍ଥିତି ରହିଥିବା ବେଳେ ଭାଜପା କିନ୍ତୁ ସାରା ଦେଶରେ ନିଜର ରାଜନୈତିକ ଉଦ୍ଦେଶ୍ୟ ନେଇ ତାକୁ ଲାଗୁ କରିବାକୁ ଚାହୁଁଛି। ଦେଶବାସୀଙ୍କ ମନରେ ଅନୁପ୍ରବେଶକାରୀଙ୍କ କାଳ୍ପନିକ ଭୟ ସୃଷ୍ଟି କରି ଏକ ଉଗ୍ର ଜାତୀୟତାବାଦୀ ମନୋଭାବକୁ ବଢ଼ାଇ ପ୍ରକୃତ ସମସ୍ୟାରୁ ଲୋକଙ୍କ ଧ୍ୟାନ ହଟାଇବା ହେଉଛି ଏହାର ସ୍ପଷ୍ଟ ଉଦ୍ଦେଶ୍ୟ।
ଆସାମରେ ବେଆଇନ ଅନୁପ୍ରବେଶର ଏକ ଦୀର୍ଘ ଇତିହାସ ରହିଛି। ୧୮୨୬ରେ ବ୍ରିଟିଶମାନେ ବର୍ମାକୁ ଅକ୍ତିଆର କରି ଆସାମକୁ ନିଜ ଅଧୀନକୁ ଆଣିବା ବେଳକୁ ସେତେବେଳେ ସେଠାରେ କେବଳ ଅହମୀୟା ଭାଷାଭାଷୀ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବୋଡ଼ୋ, କର୍ବି ପରି ବିଭିନ୍ନ ଜନଜାତିର ଲୋକେ ବସବାସ କରୁଥିଲେ। ବ୍ରିଟିଶମାନେ ଆସାମକୁ ବେଙ୍ଗଲ ପ୍ରେସିଡେନ୍ସିର ପ୍ରଶାସନିକ ଢାଞ୍ଚା ଅଧୀନରେ ରଖିବା ସହ ସେଠାରେ ନିଜ ଶାସନକୁ ଚଳାଇବା ପାଇଁ ସର୍ବପ୍ରଥମେ ପଡ଼ୋଶୀ ବଙ୍ଗଳାରୁ ବହୁସଂଖ୍ୟାରେ ବଙ୍ଗାଳୀ ଲୋକଙ୍କୁ ଆଣି ରଖିଥିଲେ। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଯେତେବେଳେ ସେମାନେ ସେଠାରେ ଚା ବଗିଚା ଏବଂ ତୈଳ ଉତ୍ତୋଳନ ଶିଳ୍ପର ବିକାଶ କଲେ ସେସବୁକୁ ଶସ୍ତାରେ ଶ୍ରମିକ ଯୋଗାଇବା ପାଇଁ ଝାଡ଼ଖଣ୍ଡ ଓ ଓଡ଼ିଶାରୁ ବହୁସଂଖ୍ୟାରେ ସାନ୍ତାଳ ଏବଂ ସଉରା ଆଦିବାସୀଙ୍କୁ ବଳପୂର୍ବକ ନେଇ ବସେଇଥିଲେ। ତେବେ ପ୍ରଥମେ ୧୯୪୭ର ଦେଶ ବିଭାଜନ ଓ ପରେ ୧୯୭୧ର ବାଂଲାଦେଶର ମୁକ୍ତିଯୁଦ୍ଧ ସମୟରେ ଆସାମକୁ ପଡ଼ୋଶୀ ବାଂଲାଦେଶରୁ ଲକ୍ଷ ଲକ୍ଷ ବଙ୍ଗାଳୀ ଲୋକଙ୍କ ଅନୁପ୍ରବେଶ ଘଟିଥିଲା।
ଅନୁପ୍ରବେଶ ପ୍ରସଙ୍ଗଟି ଗତ ଅନେକ ଦଶକ ଧରି ଆସାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗ ହୋଇଥିଲେ ବି କେବେ ବି ତାହା ସାମ୍ପ୍ରଦାୟିକ ରୂପ ନେଇ ନ ଥିଲା। ଧର୍ମ ଓ ଜାତି ନିର୍ବିଶେଷରେ ସବୁ ବହିରାଗତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବା ପାଇଁ ଆସାମବାସୀ ଦାବି କରି ଆସିଛନ୍ତି। ତେବେ ଭାଜପା ଓ ତା’ ସହିତ ଜଡ଼ିତ ବିଭିନ୍ନ ସଙ୍ଗଠନ ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଦେଶରେ ପାଞ୍ଚ କୋଟିରୁ ଅଧିକ ଏବଂ କେବଳ ଆସାମରେ କୋଟିଏରୁ ଅଧିକ ବାଂଲାଦେଶୀ ମୁସଲମାନ୍‌ ଅନୁପ୍ରବେଶକାରୀ ଅଛନ୍ତି ବୋଲି ପ୍ରଚାର କରି ଆସିଛନ୍ତି। କିନ୍ତୁ ସଦ୍ୟ ପ୍ରକାଶିତ ଏନ୍‌ଆର୍‌ସିର ତଥ୍ୟ ସେମାନଙ୍କ ଏହି ପ୍ରଚାରକୁ ଏକଦମ୍‌ ଭୁଲ ପ୍ରମାଣିତ କରିଛି। ଏନ୍‌ଆର୍‌ସିରୁ ବାଦ୍‌ ପଡ଼ିଥିବା ଆସାମର ୧୯ ଲକ୍ଷଙ୍କ ମଧ୍ୟରେ ୧୩ ଲକ୍ଷ ବଙ୍ଗାଳୀ ଏବଂ ଏକ ଲକ୍ଷ ନେପାଳୀ ବଂଶୋଦ୍ଭବ ବା ଗୁର୍ଖାଙ୍କୁ ମିଶାଇ ୧୪ ଲକ୍ଷ ହିନ୍ଦୁ ରହିବା କଥାଟି ଅନୁପ୍ରବେଶକାରୀଙ୍କୁ ନେଇ ରହିଥିବା ଭାଜପାର ହିସାବକୁ ଓଲଟ ପାଲଟ କରିଦେଇଛି। ଏହି କାରଣରୁ ହିଁ ସେମାନେ ଆସାମରେ ଏନ୍‌ଆର୍‌ସିକୁ ଆଗରୁ ସମର୍ଥନ କରିଥିବା ବେଳେ ଏବେ ବିରୋଧ କରିବାକୁ ବାଧ୍ୟ ହୋଇଛନ୍ତିି।
ଏନ୍‌ଆର୍‌ସିର ଅନ୍ତିମ ତାଲିକାରୁ ବାଦ୍‌ ପଡ଼ି ମାତ୍ର ୧୯ ଲକ୍ଷ ଲୋକ ହିଁ ବେଆଇନ ଅନୁପ୍ରବେଶକାରୀ ବୋଲି ଚିହ୍ନିତ ହୋଇଛନ୍ତି, ଯାହାକି ସେଠାକାର ଜନସଂଖ୍ୟାର ୬%ରୁ ବି କମ୍‌। ଏପରିକି ବିଶେଷଜ୍ଞଙ୍କ ମତରେ ପ୍ରକ୍ରିୟାଟି ସମ୍ପୂର୍ଣ୍ଣ ହେବା ବେଳକୁ ମାତ୍ର ୫-୬ ଲକ୍ଷ ଲୋକ ହିଁ ଏନ୍‌ଆର୍‌ସିରୁ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି, ଯାହାକି ସେଠାକାର ଜନସଂଖ୍ୟାର ମାତ୍ର ୨-୩% ହେବ। ଅତଏବ ଏତେ କମ୍‌ସଂଖ୍ୟକ ବହିରାଗତ ଲୋକ ସେଠାକାର ଅର୍ଥନୀତି, ଭାଷା ଓ ସଂସ୍କୃତିକୁ କିଭଳି କ୍ଷତି ପହଞ୍ଚାଇବେ ତାହା ବୁଝିହେଉନି। ଏପରିକି ୨୦୧୧ର ଜନଗଣନା ଅନୁଯାୟୀ ଦେଶରେ ମାତ୍ର ୦.୮% ଅନୁପ୍ରବେଶକାରୀ ରହିଥିବା ବେଳେ ବିଶ୍ୱର ବହୁ ଉନ୍ନତ ଦେଶରେ ଏହାଠାରୁ ଢେର ବେଶି ବେଆଇନ ଅନୁପ୍ରବେଶକାରୀ ରହିଛନ୍ତି।
ଏନ୍‌ଆର୍‌ସି ଏକ ଅନାବଶ୍ୟକ ଏବଂ ବ୍ୟୟବହୁଳ ପ୍ରକ୍ରିୟା। ଗତ ପାଞ୍ଚ ବର୍ଷ ମଧ୍ୟରେ ଏଥିପାଇଁ ଆସାମର ସରକାରୀ ତହବିଲରୁ ପ୍ରାୟ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେବା ସହ ୫୨,୦୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଯଦି ସାରା ଦେଶରେ ଏହା ଲାଗୁ ହୁଏ ତା’ହେଲେ ରାଜକୋଷରୁ ୬୫ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ଏହା ବ୍ୟତୀତ ଯେଉଁମାନେ ନାଗରିକତାରୁ ବାଦ୍‌ ପଡ଼ିବେ ସେମାନଙ୍କୁ ଅନ୍ୟ କୌଣସି ଦେଶକୁ ପ୍ରତ୍ୟର୍ପଣ କରିବା ସମ୍ଭବ ନ ଥିବାରୁ ଶେଷରେ ସେମାନଙ୍କୁ ଅଟକ କେନ୍ଦ୍ର ପ୍ରତିଷ୍ଠା କରି ସରକାର ରଖିବାକୁ ବାଧ୍ୟ ହେବେ। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକଙ୍କୁ ସମ୍ପୂର୍ଣ୍ଣ ସରକାରୀ ଖର୍ଚ୍ଚରେ ବର୍ଷ ବର୍ଷ ଧରି ଅଟକ ରଖିବା କେତେଦୂର ସମ୍ଭବ ତାହା ସରକାର ହିଁ କହିପାରିବେ।
ଏନ୍‌ଆର୍‌ସି ଯୋଗୁ ନିଜର ନାଗରିକତା ହରାଇବା ଭୟରେ ଆସାମର ୩.୩ କୋଟି ଲୋକ ଆତଙ୍କିତ ହୋଇ ପଚାଶ ବର୍ଷ ତଳର କାଗଜପତ୍ର ସଂଗ୍ରହ କରିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ନ ପାରି ନାଗରିକତା ହରାଇବା ଭୟରେ ଶହେରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି। ଆଜି ପଶ୍ଚିମବଙ୍ଗ ତଥା ଅନ୍ୟ ରାଜ୍ୟରେ ଏନ୍‌ଆର୍‌ସି ଲାଗୁ କରିବାକୁ ଘୋଷଣା ପରେ ସେଠାରେ ବି ଏକା ପରିସ୍ଥିତି ସୃଷ୍ଟି ହୋଇଛି।
ଏପରିକି ଆସାମର ଏନ୍‌ଆର୍‌ସିରେ ଏତେସଂଖ୍ୟକ ହିନ୍ଦୁ ବାଂଲାଦେଶୀ ବାଦ୍‌ ପଡ଼ିବା ଦେଖି ପଶ୍ଚିମବଙ୍ଗରେ ଭାଜପାର ଭୋଟବ୍ୟାଙ୍କ୍‌ ରୂପେ ପରିଚିତ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ହିନ୍ଦୁ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ନିକଟ ଭବିଷ୍ୟତରେ ସେଠାରେ ବିଧାନସଭା ନିର୍ବାଚନ ଥିବାରୁ ନିଜର ଏହି ଭୋଟବ୍ୟାଙ୍କ୍‌କୁ ସୁରକ୍ଷିତ ରଖିବାକୁ ଶେଷରେ ଭାଜପା ସଭାପତି ଅମିତ୍‌ ଶାହଙ୍କୁ ମଇଦାନକୁ ଆସିବାକୁ ପଡ଼ିଛି। ନିକଟରେ ପଶ୍ଚିମବଙ୍ଗ ଯାଇ ସେ ଖୋଲାଖୋଲି ଭାବେ ମୁସଲିମ୍‌ ଅନୁପ୍ରବେଶକାରୀଙ୍କୁ ଛାଡ଼ି ସବୁ ହିନ୍ଦୁ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ନାଗରିକତା ଦେବାକୁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ‘ନାଗରିକତା ସଂଶୋଧନ ବିଲ୍‌’ ଆଣିବେ ବୋଲି ଘୋଷଣା କରିଛନ୍ତି। ଧାର୍ମିକ ଭେଦଭାବ ଆଧାରରେ ନାଗରିକତା ଦେବାକୁ ଉଦ୍ଦିଷ୍ଟ ଏହି ବିଲ୍‌ ଆମର ଧର୍ମନିରପେକ୍ଷ ସମ୍ବିଧାନ ଓ ତା’ର ୧୫ ଧାରାର ଖୋଲା ଉଲ୍ଲଂଘନ ବୋଲି କୁହାଯାଇପାରେ। ଅତଏବ ଏହାକୁ ଲାଗୁ କରିବାକୁ ଭାଜପାର ଘୋଷଣା ସମାଜରେ ଧାର୍ମିକ ଧ୍ରୁବୀକରଣକୁ ବଢ଼ାଇ ନିଜର ହିନ୍ଦୁ ଭୋଟବ୍ୟାଙ୍କକୁ ସୁଦୃଢ଼ କରିବାକୁ ଯେ ଉଦ୍ଦିଷ୍ଟ, ଏଥିରେ ସନ୍ଦେହ ନାହିଁ।
ମୋ- ୯୪୩୭୧୬୬୩୯୧,
bhalachandra.odisha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri