ଏନ୍‌ସିଆର୍‌ବି ଆଇନାରେ ମହିଳା ସୁରକ୍ଷା

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଚଳିତ ମାସ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାରଙ୍କ ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନ୍‌ସିଆର୍‌ବି)ର ବାର୍ଷିକ ରିପୋର୍ଟ ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ-୨୦୨୨’ ପ୍ରକାଶ ପାଇଛି। ଏହି ରିପୋର୍ଟରେ ମହିଳାଙ୍କ ବିରୋଧରେ ହିଂସା, ଆତ୍ମହତ୍ୟା ଓ ୟୁଏପିଏ ପରି ଆତଙ୍କବାଦୀ ଆଇନ ବଳରେ ଗିରଫ ହେବାର ଘଟଣା ସଂଖ୍ୟା ପୂର୍ବବର୍ଷ ତୁଳନାରେ ବଢ଼ିଥିବା ଜଣାପଡ଼ିଛି। ବିଶେଷକରି ରିପୋର୍ଟରେ ଦେଶରେ ମହିଳା ବିରୋଧୀ ହିଂସାର ଏକ ଉଦ୍‌ବେଗଜନକ ଚିତ୍ର ଦେଖିବାକୁ ମିଳିଛି। ଦେଶରେ ମହିଳା ଓ ସେମାନଙ୍କ ଉପରେ ହେଉଥିବା ହିଂସାକୁ ନେଇ ସମାଜ, ପ୍ରଶାସନ ଓ ପୋଲିସ ବ୍ୟବସ୍ଥାର ଆଭିମୁଖ୍ୟର ଏକ ସ୍ପଷ୍ଟ ଚିତ୍ର ମଧ୍ୟ ଏହି ରିପୋର୍ଟ ଆଧାରରେ ଦେଖିବାକୁ ମିଳିଛି। ଥାନାରେ ପଞ୍ଜୀକୃତ ହୋଇଥିବା ମାମଲାର ପରିସଂଖ୍ୟାନରୁ ଗୋଟିଏ କଥା ସ୍ପଷ୍ଟ ଯେ, ଦେଶରେ ଆଜି ବି ମହିଳାମାନେ ବିପଜ୍ଜନକ ସ୍ଥିତିରେ ରହିଛନ୍ତି ଏବଂ ସେମାନଙ୍କ ବିରୋଧରେ ସଂଗଠିତ ଅପରାଧ ସଂଖ୍ୟା ପ୍ରତିବର୍ଷ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି।
ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ, ଗତ ୨୦୨୨ ବର୍ଷରେ ଦେଶରେ ମହିଳାଙ୍କ ବିରୋଧରେ ମୋଟ ୪,୪୫,୨୫୬ଟି ମାମଲା ଦାଏର ହୋଇଛି। ଅଥଚ ତା’ର ପୂର୍ବବର୍ଷ ଅର୍ଥାତ୍‌ ୨୦୨୧ରେ ସର୍ବମୋଟ ୪,୨୮,୨୭୮ଟି ଓ ବିଗତ ବର୍ଷ ଅର୍ଥାତ୍‌ ୨୦୨୦ରେ ମୋଟ ୩,୭୧,୫୦୩ ମାମଲା ଦାଏର ହୋଇଥିଲା। ତୁଳନାତ୍ମକ ଭାବେ ଦେଖିଲେ ୨୦୨୧ ତୁଳନାରେ ୨୦୨୨ ବର୍ଷରେ ଦେଶରେ ମହିଳା ବିରୋଧୀ ଅପରାଧ ମାମଲାରେ ୨.୧୩% ବୃଦ୍ଧି ଘଟିଛି। ସେହିପରି ପ୍ରତି ଏକ ଲକ୍ଷ ମହିଳାଙ୍କ ଅନୁପାତରେ ଅପରାଧ ହାର ୨୦୨୧ରେ ୬୪.୫ ରହିଥିବା ବେଳେ ୨୦୨୨ରେ ତାହା ୧.୯% ବୃଦ୍ଧି ପାଇ ୬୬.୪ରେ ପହଞ୍ଚତ୍ଛି।
ମହିଳାଙ୍କ ବିରୋଧରେ ହିଂସା ମଧ୍ୟରେ ସ୍ବାମୀ ଓ ତାଙ୍କ ପରିବାରର ସଦସ୍ୟଙ୍କ ଦ୍ୱାରା କରାଯାଉଥିବା ହିଂସା ଓ ଅପହରଣ ଆଦି ଅପରାଧ ପ୍ରମୁଖ ରହିଛି। ଏହି ଦୁଇଟି ଅପରାଧ ହିଁ ୨୦୨୨ରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧର ପାଖାପାଖି ୮୯% ରହିଥିବା ଜଣାପଡ଼ିଛି। ୨୦୨୧ ତୁଳନାରେ ଏହି ଅପରାଧଗୁଡ଼ିକ ୧୧% ବୃଦ୍ଧି ପାଇଥିବା ଜଣାପଡ଼ିଛି।
ମହିଳାଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ଦେଶର ମହାନଗରଗୁଡ଼ିକ ମଧ୍ୟରେ ଦିଲ୍ଲୀ ଲଗାତାର ଉପରେ ରହିଥିବା ବେଳେ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ ରହିଛି। ବଳାତ୍କାର, ଅପହରଣ, ଯୌତୁକ ହତ୍ୟା, ଅସଦାଚରଣ ଓ ପୋକ୍‌ସୋ ପରି ମହିଳାଙ୍କ ବିରୋଧରେ ସଂଗଠିତ ସବୁ ଶ୍ରେଣୀର ଜଘନ୍ୟ ଅପରାଧ କ୍ଷେତ୍ରରେ ଗତବର୍ଷ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ଉତ୍ତରପ୍ରଦେଶରେ ଗତବର୍ଷ ଦେଶର ସର୍ବାଧିକ ଅର୍ଥାତ୍‌ ୧୪,୮୮୭ଟି ମହିଳା/ବାଳିକା ଅପହରଣ ଘଟଣା ଘଟିଥିବା ବେଳେ ସର୍ବାଧିକ ଯୌତୁକଜନିତ ହତ୍ୟା ଅର୍ଥାତ୍‌ ୨୧୩୮ଟି ସେଠାରେ ହିଁ ଘଟିଛି। ମହିଳାଙ୍କ ବିରୋଧରେ ସଙ୍ଗଠିତ ବଳାତ୍କାର, ଅପହରଣ, ଯୌତୁକ ହତ୍ୟା, ଅସଦାଚରଣ ଓ ପୋକ୍‌ସୋ ପରି ସବୁ ପ୍ରକାରର ଅପରାଧରେ ବୃଦ୍ଧି ହେଉଥିବା ରିପୋର୍ଟରେ କୁହାଯାଇଛି। ଗତ ୩ ବର୍ଷ ମଧ୍ୟରେ ଦେଶର ୧୩.୧୩ ଲକ୍ଷ ମହିଳା ଓ ଯୁବତୀ ନିଖୋଜ ହୋଇଛନ୍ତି। ୨୦୨୨ ବର୍ଷରେ ଦେଶରେ ମୋଟ ୩୧,୫୧୬ଟି ବଳାତ୍କାର ମାମଲା ଦାଏର ହୋଇଛି। ବଳାତ୍କାରଜନିତ ହତ୍ୟାର ସର୍ବାଧିକ ଘଟଣା ଅର୍ଥାତ୍‌ ୯୨ଟି କେବଳ ଉତ୍ତରପ୍ରଦେଶରେ ଘଟିଛି।
ସେହିପରି ପୋକ୍‌ସୋ ଆଇନ ମୁତାବକ ନାବାଳିକା ବଳାତ୍କାର ଘଟଣାରେ ପୂର୍ବବର୍ଷ ତୁଳନାରେ ବୃଦ୍ଧି ପାଇଛି। ୨୦୨୨ରେ ଉତ୍ତରପ୍ରଦେଶକୁ ଛାଡ଼ିଦେଲେ ଅବଶିଷ୍ଟ ଦେଶରେ ସର୍ବମୋଟ ୫୨୩୪ଟି ଘଟଣା ଘଟିଥିବା ବେଳେ କେବଳ ଉତ୍ତରପ୍ରଦେଶରେ ହିଁ ୭୧୬୦ଟି ଘଟଣା ଘଟିଛି। କେନ୍ଦ୍ର ଗୃହମନ୍ତ୍ରୀ ରାତି ବାରଟା ପରେ ଯୁବତୀମାନେ ଉତ୍ତରପ୍ରଦେଶର ରାଜରାସ୍ତାରେ ନିର୍ଭୟରେ ବୁଲି ପାରୁଛନ୍ତି ବୋଲି ବାହୁସ୍ଫୋଟ ମାରୁଥିବା ବେଳେ ସେଠାରେ ମହିଳାଙ୍କ ବିରୋଧରେ ସର୍ବାଧିକ ଅପରାଧ ହେବା ଲଜ୍ଜାର ବିଷୟ।
ମୋଟ ବଳାତ୍କାର ଘଟଣାରେ ନାବାଳିକା ବଳାତ୍କାର ଘଟଣା ଗୋଆରେ ସର୍ବାଧିକ ଦେଖିବାକୁ ମିଳିଛି। ଅର୍ଥାତ୍‌ ପୋକ୍‌ସୋ ପରି ନାବାଳିକା ବଳାତ୍କାର ଘଟଣା ହେଉଛି ସେଠାରେ ଘଟିଥିବା ମୋଟ ବଳାତ୍କାର ଘଟଣାର ୭୬%।
ଦେଶରେ ମହିଳା ବିରୋଧୀ ହିଂସା ଘଟଣାର ଅନ୍ୟତମ ଦିଗ ହେଉଛି ମହିଳା ବା ନାବାଳିକା ଚାଲାଣ। ୨୦୨୧ ତୁଳନାରେ ୨୦୨୨ରେ ଦେଶରେ ମହିଳା ଓ ନାବାଳିକା ଚାଲାଣ ସମ୍ପର୍କିତ ମାମଲା ବୃଦ୍ଧି ପାଇଛି। ଦୁଃର୍ଭାଗ୍ୟର ବିଷୟ, ଏ କ୍ଷେତ୍ରରେ ସବୁଠୁ ଉପରେ ଓଡ଼ିଶା (୧୧୨୦) ରହିଥିବା ବେଳେ ମହାରାଷ୍ଟ୍ର (୮୦୫) ଦ୍ୱିତୀୟରେ ରହିଛି। ୨୦୨୨ରେ ରାଜ୍ୟରେ ଘଟିଥିବା ମୋଟ ୧୧୨୦ ଜଣ ମାନବ ଚାଲାଣ ମାମଲା ମଧ୍ୟରୁ ୫୦୨ ଜଣ ମହିଳା ହୋଇଥିବା ବେଳେ ୩୫୩ ଜଣ ନାବାଳିକା । ମହିଳାଙ୍କ ବିରୋଧରେ ସାଇବର ଅପରାଧରେ ଓଡ଼ିଶା ଶୀର୍ଷରେ ଅଛି।
ସେହିପରି ୨୦୨୨ ରେ ଦେଶରେ ମହିଳାଙ୍କ ଉପରେ ଏସିଡ୍‌ ଆକ୍ରମଣର ମୋଟ ୨୦୨ଟି ଘଟଣା ଦେଖିବାକୁ ମିଳିଛି। ୨୦୨୧ରେ ୧୭୪ଟି ମାମଲା ଘଟିଥିବା ବେଳେ ତା’ ତୁଳନାରେ ୨୦୨୨ରେ ୪୦% ବୃଦ୍ଧି ପାଇଛି।
ଉଦ୍‌ବେଗଜନକ ହେଉଛି ମହିଳା ବିରୋଧୀ ହିଂସା କ୍ଷେତ୍ରରେ ପୋଲିସ ଏବଂ ଅଦାଲତର ଭୂମିକା। ପୂର୍ବ ବର୍ଷ ଭଳି ୨୦୨୨ରେ ମଧ୍ୟ ଏଭଳି ଅପରାଧ କ୍ଷେତ୍ରରେ ପୋଲିସର ଅଭିଯୋଗପତ୍ର ଦାଖଲ ଓ ଅଦାଲତରେ ଦଣ୍ଡହାର କମିବା ଦେଖାଯାଇଛି। ୨୦୨୧ରେ ଏଭଳି ଅପରାଧଗୁଡ଼ିକରେ ପୋଲିସର ଅଭିଯୋଗପତ୍ର ଦାଖଲ ହାର ୭୭.୧% ରହିଥିବା ବେଳେ ୨୦୨୨ରେ ତାହା ୧.୩% ହ୍ରାସ ପାଇ ୭୫.୮%ରେ ପହଞ୍ଚତ୍ଛି। ସେହିପରି ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଦଣ୍ଡହାର ପୂର୍ବବର୍ଷ ତୁଳନାରେ ୩% ହ୍ରାସ ପାଇଛି।
ଗ୍ରାମାଞ୍ଚଳ ଅପେକ୍ଷା ସହର ଓ ମହାନଗରଗୁଡ଼ିକରେ ଆଇନଶୃଙ୍ଖଳା ପରିସ୍ଥିତି ଅପେକ୍ଷାକୃତ ଭଲ ସ୍ଥିତିରେ ରହିଥାଏ ବୋଲି ଯେଉଁ ଧାରଣା ରହିଆସିଛି, ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ତାହା କିନ୍ତୁ ଭୁଲ୍‌ ପ୍ରମାଣିତ ହୋଇଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ମହିଳା ବିରୋଧୀ ହିଂସାର ସ୍ଥିତି ଉଦ୍‌ବେଗଜନକ । ଏହାର ଅର୍ଥ ହେଲା, ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ମହିଳାମାନେ ଅଧିକ ଅସୁରକ୍ଷିତ ସ୍ଥିତିରେ ରହିଛନ୍ତି।
ଭାରତକୁ ବିଶ୍ୱଗୁରୁରେ ପରିଣତ କରିବାକୁ ଶାସକମାନେ ବାରମ୍ବାର ଘୋଷଣା କରୁଥିବା ବେଳେ ଦେଶରେ ମହିଳାମାନଙ୍କ ସ୍ଥିତି ଅଧିକରୁ ଅଧିକ ଖରାପ ହେବା ଚିନ୍ତାର ବିଷୟ। ମହିଳାଙ୍କ ପାଇଁ ବିଶେଷକରି ସେମାନଙ୍କ ସୁରକ୍ଷା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେତେସବୁ କାର୍ଯ୍ୟକ୍ରମ ଘୋଷଣା କରୁଛନ୍ତି, ସେସବୁ ଯେ ତଳସ୍ତରରେ କାର୍ଯ୍ୟକାରୀ ହୋଇପାରୁନି, ତା’ର ପ୍ରମାଣ ସେମାନଙ୍କ ବିରୋଧରେ ସଂଗଠିତ ବର୍ଦ୍ଧିତ ହିଂସା ଘଟଣାରୁ ମିଳୁଛି। ତେବେ ଘରେ ବାହାରେ, ରାସ୍ତାରେ ଯାଉଥିବା ବେଳେ, କାର୍ଯ୍ୟସ୍ଥଳରେ, ଶିକ୍ଷାନୁଷ୍ଠାନରେ ଏପରିକି ଧର୍ମାନୁଷ୍ଠାନ ମଧ୍ୟରେ, କେଉଁଠି ବି ମହିଳା ଆଜି ସୁରକ୍ଷିତ ନ ରହିବା କେବଳ ଆମର ଶାସନ ବ୍ୟବସ୍ଥାର ଦକ୍ଷତାକୁ ହିଁ ପ୍ରଶ୍ନ କରୁନି ବରଂ ମହିଳାଙ୍କ ପ୍ରତି ଆମ ସମାଜର ମାନସିକତା ଉପରେ ପ୍ରଶ୍ନଚିହ୍ନ ଲଗାଉଛି। ମହିଳା ବିରୋଧୀ ହିଂସାର ସବୁଠାରୁ ବଡ଼ କାରଣଟି ଯେ ଆମ ସମାଜର ପୁରୁଷବାଦୀ ମାନସିକତା, ଏକଥା ଆମେ ବୁଝିବା ଦରକାର। ଏହି ମାନସିକତା ଘର ଭିତରେ ଓ ବାହାରେ ଉଭୟ କ୍ଷେତ୍ରରେ ରହିଛି। ସେହି କାରଣରୁ ଏଭଳି ହିଂସାର ସିଂହଭାଗଟି ଆମ ଘର ଭିତରେ ହିଁ ଦେଖିବାକୁ ମିଳୁଛି। ଖୋଦ୍‌ ଏନ୍‌ସିଆର୍‌ବିର ରିପୋର୍ଟ ଅନୁଯାୟୀ, ଦେଶରେ ମହିଳାଙ୍କ ବିରୋଧରେ ସଂଗଠିତ ମୋଟ ଆପରାଧିକ ମାମଲାର ୩୧.୪% ଭାଗ କେବଳ ଘର ଭିତରେ ହେଉଛି। ଅର୍ଥାତ୍‌ ସେସବୁ ଅପରାଧରେ ସମ୍ପୃକ୍ତ ମହିଳାଙ୍କ ପତି ଓ ଅନ୍ୟ ସଦସ୍ୟମାନେ ସାମିଲ ରହୁଛନ୍ତି।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri