ଏନଏସିର ପଲିଥିନ ଚଢ଼ାଉ ଅଭିଯାନ

ବିଜେପୁର, ୧୨।୬ (ଡି.ଏନ.ଏ): ବିଜେପୁର ଏନଏସି ପକ୍ଷରୁ ବୁଧବାର ସ୍ଥାନୀୟ ସହରର ବ୍ୟବସାୟିକ ପ୍ରତିଷ୍ଠାନରେ ପଲିଥିନ ଚଢ଼ାଉ କରାଯାଇଥିଲା । ଏଥିରେ ୧୦ କେଜି ଓଜନର ପଲିଥିନ ଜବତ ହୋଇଛି । ସ୍ବଚ୍ଛ ଓ ସୁନ୍ଦର ଓଡିଶା ଗଠନ ପାଇଁ ପରିବେଶ ପ୍ରଦୂଷଣ ରୋକିବାରେ ପଲିଥିନ ବାଧକ ସାଜୁଛି । ତେଣୁ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ତଥା ଏନଏସିର ବିକାଶ ସାହୁଙ୍କ ନେତୃତ୍ୱରେ କର୍ମଚାରୀମାନେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ କରିଥିଲେ । ନବଗଠିତ ବିଜେପୁର ଏନଏସିକୁ ପଲିଥିନ ମୁକ୍ତ କରିବାକୁ ସମସ୍ତ ବ୍ୟବସାୟୀଙ୍କୁ ଅନୁରୋଧ କରାଯାଇଛି । ନିଜ ନିଜ ଦୋକାନରୁ ପଲିଥିନ ହଟାଇବାକୁ ଦୁଇ ଦିନ ସମୟ ଦିଆଯାଇଛି । ଏହାର ଖିଲାପ କଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନଏସି ପକ୍ଷରୁ ସୂଚନା ଦିଆଯାଇଛି ।