Categories: ଜାତୀୟ

ଏକ ଦେଶ ଏକ ନିୟମ ପରେ ଏବେ ଏକ ଦେଶ ଏକ ନିର୍ବାଚନ ପାଇଁ ନିଆଯିବ ପଦକ୍ଷେପ: ମୋଦି

ନୂଆଦିଲ୍ଲୀ, ୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସୂଚନା ଦେଇଛନ୍ତି ଯେ, ଏବେ ଦେଶରେ ଏକ ନିର୍ବାଚନ ହେବ। ଏକ ଦେଶ ଏକ ନିୟମ ପରେ ଏବେ ଏକ ଦେଶ ଏକ ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବ ବୋଲି ଲାଲ୍‌ କିଲ୍ଲାରେ ଦେଶ ଉଦ୍ଦେଶ୍ୟରେ ନିଜ ଅଭିଭାଷଣରେ ଏହା କହିଛନ୍ତି। ପୃଥିବୀର ବହୁ ରାଷ୍ଟ୍ର ଭାରତକୁ ଏକ ବିକଶିତ ବଜାର ଭାବେ ବିବେଚନା କରିଥାନ୍ତି। ତେବେ ଆମକୁ ଏଣିକି ରପ୍ତାନୀ ବୃଦ୍ଧି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଇତିମଧ୍ୟରେ ଭାରତବାସୀଙ୍କ ଚିନ୍ତାରେ ଅନେକ ପରିବର୍ତ୍ତନ ଆସିଛି। ସେମାନେ ଦୁନିଆର ବିକଶିତ ଅନ୍ୟ ରାଷ୍ଟ୍ର ସହିତ ପାଦରେ ପାଦ ମିଳାଇ ଚାଲିବାକୁ ଚାହୁଁଛନ୍ତି। ଦେଶର ବିକାଶ ପ୍ରାଥମିକତା ଥିବାବେଳେ ଦୁର୍ନୀତି ହଟାଇବା ମଧ୍ୟ ଅପରିହାର୍ଯ୍ୟ। ସେହିପରି ଜନସଂଖ୍ୟା ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପରିବାରକୁ ଛୋଟରେ ସୀମିତ ରଖିବା ହିଁ ପ୍ରକୃତ ଦେଶଭକ୍ତି। ଜଳସଙ୍କଟର ମୁକାବିଲା ପାଇଁ ପ୍ରତି ଘରେ ପିଇବା ପାଣି ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହା ସହିତ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ତିନି ତଲାକ ବିଲ୍‌ ଦେଶର ଆର୍ଥିକ ତଥା ସାମାଜିକ ବିକାଶ କ୍ଷେତ୍ରରେ ଏକ ଦୃଢ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share