ଏକ୍ସପୋର୍ଟ, ଇମ୍ପୋର୍ଟ କମ୍ପାନୀ ନାଁରେ ୭୫ଲକ୍ଷ ଠକେଇ

ବାଲେଶ୍ୱର ଅଫିସ,୨୪।୭-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡ଼େଲ ଥାନା ଭାସ୍କରଗଞ୍ଜ(ବି) ଅଞ୍ଚଳରେ ଗତ ୯ ତାରିଖରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଖୋଲି ମାତ୍ର ୧୨ଦିନ ଭିତରେ ୭୫ଲକ୍ଷ ଟଙ୍କା ସଂଗ୍ରହ କରି ପଳାଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ରାତି ୯ଟା ବେଳେ ୨୫ରୁ ଊର୍ଦ୍ଧ୍ୱ ଯୁବତୀ ଯୁବକ ସହଦେବଖୁଣ୍ଟା ଥାନାକୁ ଆସି ଅଭିଯୋଗ କରିଛନ୍ତି।
ଉକ୍ତ ଅଞ୍ଚଳରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଗତ ୯ ତାରିଖରେ ଖୋଲାଯାଇଥିଲା। ଖବରକାଗଜ ବିଜ୍ଞାପନ ମାଧ୍ୟମରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଆକର୍ଷଣୀୟ ଦରମାରେ ମାର୍କେଟିଂ ଏଜେଣ୍ଟ ୨୫ଜଣ ଏବଂ ଅଫିସିଆଲ କର୍ମଚାରୀ ଭାବେ ୬ଜଣଙ୍କୁ ନିଯୁକ୍ତି ଦେଇଥିଲେ। ଏଜେଣ୍ଟମାନଙ୍କ ମାଧ୍ୟମରେ ଅର୍ଥ ଲଗାଣକାରୀ ବ୍ୟକ୍ତିମାନଙ୍କଠାରୁ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ସର୍ବନିମ୍ନ ୧୦ହଜାର ଟଙ୍କାଠାରୁ ଅଧିକ ଡିପୋଜିଟ୍‌ କରି ପୂର୍ବାହ୍ନ ସାଢ଼େ ୩ରୁ ୪ଟା ମଧ୍ୟରେ ୨ ପ୍ରତିଶତ ସୁଧ ହାରରେ ସୁଧ ଓ ମୂଳଧନ ଫେରାଉଥିଲେ। ଏହି ସୂତ୍ରରେ ମଙ୍ଗଳବାର ୩୨ଜଣ ଜମାକାରୀଙ୍କଠାରୁ ୭୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଡିପୋଜିଟ୍‌ ହୋଇଥିବାବେଳେ କମ୍ପାନୀର ମୁଖ୍ୟମାନେ ଅଫିସ୍‌ ଛାଡ଼ି ପଳାଇଥିବାର ଜଣାପଡ଼ିଛି। ଅପରାହ୍ନ ୫ଟା ସୁଦ୍ଧା ଟଙ୍କା ନ ପାଇବାରୁ ଏଜେଣ୍ଟ ଏବଂ ଜମାକାରୀମାନେ ଅଫିସ୍‌ ସମ୍ମୁଖରେ ଭିଡ଼ ଜମାଇଥିଲେ। ପରେ ହତାଶ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲଗାଣକାରୀ ବବୁଲ କୁମାର ନାୟକ ୮ଦିନ ଧରି ପ୍ରତିଦିନ ୨୦ହଜାର ଟଙ୍କା ଡିପୋଜିଟ୍‌ କରି ସୁଧ ଓ ମୂଳ ଟଙ୍କା ଫେରି ପାଉଥିବା ବେଳେ ମଙ୍ଗଳବାର ତାଙ୍କର ୨୦ହଜାର ଟଙ୍କା ଯାଇଥିବା ଜଣାପଡ଼ିଛି। ସେହିପରି ସାହିନା ବିବି ୧୨ଦିନ ଧରି ଟଙ୍କା ଦାଖଲ କରି ଫେରସ୍ତ ପାଉଥିବା ବେଳେ ଆଜି ତାଙ୍କର ୨୫ହଜାର ଟଙ୍କା ଚାଲି ଯାଇଥିବା ସେ ଅଭିଯୋଗ କରିଛନ୍ତି।