ଏଇ ଭାରତରେ

କେରଳରେ ଲୁଙ୍ଗି ପିନ୍ଧି ବାହାରକୁ ଯିବା ଏକ ସାଧାରଣ ଘଟଣା। ବିଶେଷକରି ଦକ୍ଷିଣ ଭାରତୀୟମାନେ ଅଧିକାଂଶ ସମୟରେ ଲୁଙ୍ଗି ବ୍ୟବହାର କରିଥାଆନ୍ତି। ହେଲେ ନିକଟରେ ଜଣେ ଯୁବକ ସାଙ୍ଗମାନଙ୍କ ସହ ଲୁଙ୍ଗି ପିନ୍ଧି ରେସ୍ତୋରାଁ ଯାଇଥିବାରୁ ସେଠାରେ ତାଙ୍କୁ ଖାଇବାକୁ ମିଳି ନ ଥିଲା। ଏଥିପାଇଁ ସେ ପୋଲିସରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, କେରଳର କୋଝିକୋଡ଼ିରେ କରିମ ଚେଲେମ୍ବରା ନାମକ ଜଣେ ଯୁବକ ଲୁଙ୍ଗି ପିନ୍ଧି ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ। ଆଉ ସେ ସେଠାରେ ପ୍ରବେଶ କରିବା ସମୟରେ ରେସ୍ତୋରାଁ କର୍ମଚାରୀ ତାଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ। ସେ ଏହାର କାରଣ ଜାଣିବାକୁ ଚାହିଁବାରୁ ତାଙ୍କୁ କୁହାଯାଇଥିଲା ସେ ଲୁଙ୍ଗି ପିନ୍ଧି ଆସିଥିବାରୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। କାରଣ ଏଠାକୁ ଲୋକେ ପରିବାର ସହ ଆସୁଥିବାରୁ ଏମିତି ପୋଷାକ ପିନ୍ଧି ଆସିଥିବା ବ୍ୟକ୍ତିଙ୍କୁ ଏଠାରେ ବାରଣ କରାଯାଇଥାଏ। ସେ ଏହାର ପାଲଟା ଜବାବରେ କହିଥିଲେ, ଏହା ତ କେଉଁଠି ଉଲ୍ଲେଖ କରାଯାଇ ନାହିଁ। ତେଣୁ ସେ ଏହି ଘଟଣାକୁ ନେଇ ପ୍ରତିବାଦର ସ୍ବର ତୀବ୍ର କରିବା ସହିତ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।