ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେଥିପାଇଁ ଭୋଟଦାନ ହାର ହ୍ରାସ ପାଇଥାଏ। ଛତିଶଗଡ଼ ଯଶପୁରରେ ଜଣେ ବର ବିବାହ କରିବା ପୂର୍ବରୁ ମଙ୍ଗଳବାର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟଦେଇ ଏ ଦିଗରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେଥିପାଇଁ ନିର୍ଦ୍ଧାରିତ ସମୟଠାରୁ ଅଢ଼େଇଘଣ୍ଟା ବିଳମ୍ବରେ ବରଯାତ୍ରୀ କନ୍ୟାଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥଲେ। ସ୍ଥାନୀୟ ତପକରା ଥାନା ଅଞ୍ଚଳରେ ଥିବା ଆମାଡିହା ଗାଁରେ ଘଟିଛି ଏହି ଘଟଣା। କେତେକ ଲୋକ ବର ପ୍ରଦୀପଙ୍କୁ ଭୋଟ ନ ଦେଇ ଶୀଘ୍ର ବାହାରିବାକୁ କହିଥିଲେ। କିନ୍ତୁ ସେ କହିଥିଲେ ପ୍ରଥମେ ଭୋଟଦାନ, ପରେ ପାଣିଗ୍ରହଣ। ସେ ପଗଡ଼ି ପିନ୍ଧିବା ଅବସ୍ଥାରେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଥିଲେ। ଏହାପରେ ବାହାଘର ପାଇଁ କନ୍ୟାଘର ଅଭିମୁଖେ ଯାତ୍ରା କରିଥିଲେ। ଭୋଟଦାନ କରୁ ନ ଥିବା ଲୋକଙ୍କ ନିମନ୍ତେ ପ୍ରଦୀପଙ୍କ କର୍ତ୍ତବ୍ୟନିଷ୍ଠା ଏକ ସଚେତନତାର ବାର୍ତ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ।