ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଚଳିଆସୁଛି। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶର ମହାରାଜଗଞ୍ଜ୍‌ ଜିଲା ବେଲଓ୍ବା ଚୌଧ୍‌ରୀ ଗାଁରେ ରହିଛି ଏଭଳି ଏକ ଅଜବ ପରମ୍ପରା। ଏଠାରେ ପ୍ରତିବର୍ଷ ବୁଦ୍ଧପୂର୍ଣ୍ଣିମାରେ ଗୋଟିଏ ଦିନ ଗଁାର ସମସ୍ତ ଲୋକ ଘର ଛାଡ଼ି ଗାଁ ବାହାରକୁ ପଳାଇଯାଆନ୍ତି। ସାଙ୍ଗରେ ଗୃହପାଳିତ ପଶୁଙ୍କୁ ମଧ୍ୟ ନେଇଯାଆନ୍ତି। ଏହାକୁ ସ୍ଥାନୀୟ ଅଞ୍ଚଳର ଲୋକେ ପରାଓ୍ବନ ପର୍ବ କହନ୍ତି। ଗ୍ରାମବାସୀମାନେ ଅଭିଶାପରୁ ରକ୍ଷା ପାଇଁ ଏହି ଦିନ ଗାଁ ଛାଡି ଚାଲିଯାଇଥାନ୍ତି। ଏହି ଦିନ ଗାଁରେ ରହିଲେ ମଣିଷ କିମ୍ବା ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଗାଁ ଲୋକଙ୍କ କହିବା କଥା ହେଉଛି ୨ଶହ ବର୍ଷ ତଳେ ବୁଦ୍ଧପୂର୍ଣ୍ଣିମା ଦିନ ଗାଁକୁ ଜଣେ ସାଧୁ ଆସିଥିଲେ। ସାଧୁ ଆସିବାର ସୂଚନା ଗ୍ରାମବାସୀଙ୍କ ପାଖରେ ନ ଥିଲା। ତେଣୁ ତାଙ୍କର ଯଥାର୍ଥ ସ୍ବାଗତ କରାଯାଇ ନ ଥିଲା। ଏଥିରେ ସାଧୁ କ୍ରୋଧ ପ୍ରକାଶ କରି ଅଭିଶାପ ଦେଇଥିଲେ। ତେଣୁ ଅଭିଶାପର ଫଳ ସେହିଦିନ ପଡିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି।