ଏଇ ଭାରତରେ

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏବେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଘରେ ଘରେ ପହଞ୍ଚିଥିବା ମନେହେଉଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମିରଟର ଏକ ବିବାହ ଉତ୍ସବରେ। ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନାରେ ଜଣେ ଝିଅ ବାଇକ୍‌ରେ ବିଦାହୋଇଛନ୍ତି। ବାହା ହୋଇ ଶାଶୁଘର ଯିବା ପୂର୍ବରୁ ନବବିବାହିତା କନ୍ୟା ବରକୁ ହେଲମେଟ୍‌ ପିନ୍ଧାଇବା ପରେ ଗାଡ଼ିରେ ବସିଛନ୍ତି। ସ୍ଥାନୀୟ ଆଶୀର୍ବାଦ ରିସର୍ଟରେ ଏକ ସାମୂହିକ ବିବାହରେ କନ୍ୟା ନଜ୍‌ମାଙ୍କ ବିବାହ ବର ନଦିମ୍‌ଙ୍କ ସହିତ ହୋଇଥିଲା। ବିବାହ ପରେ ନଜ୍‌ମାଙ୍କୁ ନେବାକୁ ନଦିମ୍‌ ବାଇକ୍‌ ଧରି ପହଞ୍ଚିଥିଲେ। ତେବେ ନଜ୍‌ମା ବାଇକ୍‌ରେ ବସିବା ପୂର୍ବରୁ ନଦିମ୍‌ଙ୍କୁ ହେଲମେଟ୍‌ ପିନ୍ଧାଇଥିଲେ। ଦୁଇଚକିଆ ମୋଟରଗାଡି ଚଳାଇବା ପୂର୍ବରୁ ହେଲ୍‌ମେଟ୍‌ ପିନ୍ଧିବା ଯେ ନିହାତି ଆବଶ୍ୟକ ତାହା ନବବିବାହିତ କନ୍ୟା ନିଜ କାର୍ଯ୍ୟ ମାଧ୍ୟମରେ ଜଣାଇ ଦେଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।