ଏଇ ଭାରତରେ

ପ୍ରେମ ଦୁଇ ଆତ୍ମାର ମିଳନ ଘଟାଏ। ଏଥିରେ ଲିଙ୍ଗଗତ ଭେଦଭାବ କିଛି ନ ଥାଏ। ଏ କଥା ବୁଝିଛନ୍ତି କୋଲକାତାର ଦୁଇ କିନ୍ନର ତିସ୍ତା ଦାସ (ଟ୍ରାନ୍ସଓମ୍ୟାନ୍‌) ଏବଂ ଦୀପନ ଚକ୍ରବର୍ତ୍ତୀ (ଟ୍ରାନ୍ସମ୍ୟାନ୍‌)। ଅଗଷ୍ଟ ୮ ତାରିଖରେ ସେମାନେ ପାରମ୍ପରିକ ବିଧିବିଧାନ ମତେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ନିଜସ୍ବ କ୍ଷେତ୍ରରେ ସୁପ୍ରତିଷ୍ଠିତ। କୋଲକାତାର ବାସିନ୍ଦା ତିସ୍ତା କେତୋଟି ପ୍ରାମାଣିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଦୀପନ ହେଉଛନ୍ତି ଆସାମର ବାସିନ୍ଦା ତଥା ବ୍ୟବସାୟୀ। ସେ କୋଲକାତାସ୍ଥିତ ସେଣ୍ଟର ଫର କନସଲଟେଶନ୍‌କୁ ଆସିଥିବାବେଳେ ଦୁହିଁଙ୍କର ସାକ୍ଷାତ୍‌ ହୋଇଥିଲା। ତା’ପରଠୁ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ। ତିସ୍ତା ଦାସ ବର୍ତ୍ତମାନ ବିବାହ ଆୟୋଜନ କରିବାରେ ବ୍ୟସ୍ତ ଥିବାବେଳେ ନିମନ୍ତ୍ରଣପତ୍ର ମଧ୍ୟ ଛପା ସରିଲାଣି। ଯେଉଁମାନେ ଲିଙ୍ଗଗତ-ଅଧିକାରରେ ସମାନତା ଉପରେ ବିଶ୍ୱାସ କରନ୍ତି, ସେମାନେ ଏହି ବିବାହ ଉତ୍ସବରେ ଯୋଗଦେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଉଭୟ ଅତୀତରେ ସେକ୍ସ ରିଆସାଇନ୍‌ମେଣ୍ଟ ସର୍ଜରି (ଏସ୍‌ଆରଏସ୍‌) କରାଇ ସାରିଛନ୍ତି। ଦୁହେଁ ବିବାହ ନିମନ୍ତ୍ରଣପତ୍ରରେ ସମକାମୀ ମହିଳା ଓ ସମକାମୀ ପୁରୁଷ ବିବାହ ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଉକ୍ତ ଦମ୍ପତି ଉତ୍ତର ୨୪ ପ୍ରଗଣା ଜିଲାର ଆଗରପଡାଠାରେ ଏକ ରିସେପ୍ସନ ପାର୍ଟି ଆୟୋଜନ କରିବେ। ଉକ୍ତ କିନ୍ନର ବିବାହ ପାଇଁ ବର୍ତ୍ତମାନ ସବୁଠି ଚର୍ଚ୍ଚା।