ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ ଆଇନରେ ଡିଗ୍ରୀ କରିଛନ୍ତି। ସେ ତାଙ୍କ ସାଥୀ ରବି ମିଶ୍ରଙ୍କ ସହ ମିଶି ୨୦୧୫ରେ ‘ହୋପ୍‌ ଓ୍ବେଲ୍‌ଫେୟାର ଟ୍ରଷ୍ଟ’ ଗଠନ କରି ତା’ସାହାଯ୍ୟରେ ଏହି କାର୍ଯ୍ୟ କରୁଛନ୍ତି। ସେ ଯେଉଁ ଚପଲ ତିଆରି କରୁଛନ୍ତି ତାହାର ଦାମ୍‌ ୧୦୦ ଟଙ୍କା ରଖିଛନ୍ତି। ଏହା ପଛର ଉଦ୍ଦେଶ୍ୟ ହେଉଛି ଜଣେ ବ୍ୟକ୍ତି ୧୦୦ଟଙ୍କା ଦେଇ ଚପଲ କିଣି ତାହାକୁ ଶ୍ରମିକ ଓ ତାଙ୍କ ପିଲାମାନଙ୍କୁ ଦାନ ଦେଉଛନ୍ତି। ବଡ଼ କଥା ହେଉଛି, ଚପଲ ତିଆରି କରିବା ଲାଗି ଦିବ୍ୟାଂଶୁ ‘ଗ୍ରୀନ୍‌ ଆର୍ମି’ ଗଠନ କରିଛନ୍ତି। ଏଥିରେ ସେ କେବଳ ମହିଳାମାନଙ୍କୁ ସାମିଲ କରି ଚପଲ ତିଆରି କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଗୋଟିଏ ପଟେ ମହିଳାମାନେ ଜୀବିକା ପାଉଛନ୍ତି ଓ ଅନ୍ୟପକ୍ଷେ ଶ୍ରମିକମାନେ ମାଗଣାରେ ଚପଲ ବି ପାଇପାରୁଛନ୍ତି। ପ୍ରଥମେ ୨୫ ମହିଳାଙ୍କୁ ନେଇ ଗ୍ରୀନ୍‌ ଆର୍ମି ଗଠନ କରାଯାଇଥିଲା। ଏବେ ଉତ୍ତରପ୍ରଦେଶର ୨୫୦ଟି ଗାଁର ୨୨୦୦ ମହିଳା ଏଥିରେ ସାମିଲ ହୋଇ ଚପଲ ତିଆରି ଓ ବିକ୍ରି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।