ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ ଗୁଆ ଗଛ ଚଢୁଛି। ଖୁବ୍‌ କମ୍‌ ସମୟରେ ଲୋକକୁ ଗଛ ଶୀର୍ଷରେ ପହଞ୍ଚାଇପାରୁଛି। ଏହା ଉପରେ ବସି ଲୋକେ ଆରାମରେ ଗୁଆ ତୋଳିପାରୁଛନ୍ତି। ସ୍କୁଟରଟି ନିର୍ମାଣ କରିବା ପରେ ଗୁଆଚାଷୀମାନଙ୍କୁ ଅଧିକ ଶ୍ରମିକଙ୍କ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ୪ ଜଣ ଲୋକ ଗଛ ଚଢ଼ି ଦିନକୁ ଯେତିକି ଗୁଆ ତୋଳିପାରନ୍ତି ସେତିକି ଗୁଆ ଜଣେ ଲୋକ ଏହି ସ୍କୁଟର ଦ୍ୱାରା ତୋଳି ପାରୁଛନ୍ତି। ଏହି ମେଶିନରେ ଦିନକୁ ୩୦୦ ଗୁଆଗଛରୁ ଗୁଆ ତୋଳାଯାଇପାରୁଛି। ଫଳରେ କମ୍‌ ଶ୍ରମଶକ୍ତିରେ ଅଧିକ ଲାଭ ମିଳୁଛି। ଟ୍ରି ସ୍କୁଟରରେ ଆରାମରେ ବସିବା ଲାଗି ଏକ ସିଟ୍‌, ସିଟ୍‌ବେଲ୍ଟ ରହିଛି। ଗଛ ଉପରକୁ ଚଢ଼ିବା ସକାଶେ ଏଥିରେ ଚକ ଓ ଶକ୍ତି ପାଇଁ ମୋଟର ଲଗାଯାଇଛି। ଗଣପତି ପେସାରେ ଜଣେ କୃଷକ। ଟେକ୍‌ନିକାଲ କିମ୍ବା ଇଞ୍ଜିନିୟରିଂ ପଢ଼ି ନାହାନ୍ତି। କିନ୍ତୁ ଏଭଳି ମେଶିନ ନିର୍ମାଣ କରି ସେ ଏକ ସ୍ବତନ୍ତ୍ର ପରିଚିତି ପାଇପାରିଛନ୍ତି। ସେ ଗୁଆ ତୋଳିବାର ସହଜ ଓ ଶସ୍ତା ଉପାୟ ଖୋଜୁ ଖୋଜୁ ଏକ ମେଶିନ ନିର୍ମାଣ କରିବାର ଜ୍ଞାନକୌଶଳ ପାଇଗଲେ। ଏହି ଜ୍ଞାନକୌଶଳ ଥିଲା ତାଙ୍କର ପୂରା ନିଜସ୍ବ।