ଏଇ ଭାରତରେ

ଏବେ ପିତୃପକ୍ଷ ଚାଲିଛି। ଏହି ଅବସରରେ ୟୁକ୍ରେନର ଜଣେ ଯୁବତୀ ଗୟାରେ ପିଣ୍ଡଦାନ କରିଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ପିଣ୍ଡଦାନର କାରଣ ପଛରେ ରହିଛି ଏକ ମହାନ୍‌ ଉଦ୍ଦେଶ୍ୟ। ୟୁକ୍ରେନର ଯୁବତୀ ଉଲିୟା ଜିତୋମାରସ୍କି ଗୟାରେ ତାଙ୍କ ମାତାପିତାଙ୍କ ପିଣ୍ଡଦାନ କରିବା ସହ ୟୁକ୍ରେନ ଓ ରୁଷିଆ ଯୁଦ୍ଧରେ ଶହୀଦ ସୈନ୍ୟଙ୍କୁ ଶ୍ରାଦ୍ଧ ଦେଇଛନ୍ତି। ଉଲିୟା କହନ୍ତି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ତାଙ୍କ ମାତାପିତାଙ୍କର ମୃତ୍ୟୁ ଘଟିଛି। ସେ ଏହି ଯୁଦ୍ଧରେ ମୃତ୍ୟୁ ଘଟିଥିବା ୟୁକ୍ରେନ ଏବଂ ରୁଷିଆର ସୈନିକ ତଥା ସାଧାରଣ ଲୋକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ପାଇଁ ଶ୍ରାଦ୍ଧ ଦେଇଛନ୍ତି। ବିଶ୍ୱ ଶାନ୍ତିରେ ହିନ୍ଦୁ ଧର୍ମବିଶ୍ୱାସର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲିୟା କହିଛନ୍ତି। ସେ ଫଲଗୁ ନଦୀ କୂଳରେ ପିଣ୍ଡଦାନ କରିବା ସହିତ ତର୍ପଣ କରିଛନ୍ତି। ଏହା ପରେ ସେ କହିଛନ୍ତି, ଯୁଦ୍ଧ ଶୀଘ୍ର ଶେଷ ହେଉ ଏବଂ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି। ତାଙ୍କ ମତରେ ଗୟାରେ ତର୍ପଣ କଲେ ମୃତକଙ୍କ ଆତ୍ମା ଶାନ୍ତିଲାଭ କରିଥାଏ। ସେ ଦ୍ୱିତୀୟ ଥର ପାଇଁ ଗୟାରେ ଏଭଳି ପିଣ୍ଡଦାନ କରିଛନ୍ତି।