ଏଇ ଭାରତରେ

ଜେଇଇ ହେଉ କିମ୍ବା ନିଟ୍‌ ଅବା ଅନ୍ୟ କୌଣସି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ସକାଶେ ଅନେକ ଲକ୍ଷ ପିଲା ଟଙ୍କା ଦେଇ ଦେଶର ବିଭିନ୍ନ କୋଚିଂ ସେଣ୍ଟରରେ ନାମ ଲେଖାଉଛନ୍ତି । କିନ୍ତୁ ଗରିବ ତଥା ଅନଗ୍ରସର ପରିବାରର ପିଲାମାନେ ଏଥିରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ପିଲାମାନଙ୍କୁ ମୁମ୍ବାଇର ୪ ଜଣ ବନ୍ଧୁ ସୁମିତ ଶର୍ମା, ଡ.ଅବନିଶ ଦ୍ୱିବେଦୀ, ରବିନ ମଣ୍ଡଳ ଓ ସୌରଭ ସନ୍ତୋଷ ‘ପଥ ପ୍ରଦର୍ଶକ’ ସଂସ୍ଥା ଗଢ଼ି ତା’ ମାଧ୍ୟମରେ କୋଚିଂ ଦେଉଛନ୍ତି। ସେମାନେ ଆଇଆଇଟି, ଏନ୍‌ଆଇଟି, ଆଇଆଇଏସ୍‌ସି ପାଇଁ ସେମାନଙ୍କୁ ମାଗଣାରେ କୋଚିଂ ଦେଉଛନ୍ତି। ସେମାନେ ‘ଗ୍ରୋ ଭାରତ’ ୟୁ ଟ୍ୟୁବ୍‌ ଚ୍ୟାନେଲ ମାଧ୍ୟମରେ ଅନ୍‌ଲାଇନ କ୍ଲାସ ସକାଳେ ସନ୍ଧ୍ୟାରେ କରୁଛନ୍ତି। ଏବେ ଏଥିରେ ୪୫,୦୦୦ ସବ୍‌ସ୍କ୍ରାଇବର ରହିଛନ୍ତି। ସୁମିତ ରସାୟନ ବିଜ୍ଞାନ, ଡ.ଅବନିଶ ଅର୍ଗାନିକ ରସାୟନ ବିଜ୍ଞାନ, ରବିନ ପଦାର୍ଥ ବିଜ୍ଞାନ ଏବଂ ସୌରଭ ଗଣିତ ପଢ଼ାଉଛନ୍ତି। ଏମାନେ କେବଳ କ୍ଲାସ୍‌ ନେଉନାହାନ୍ତି, ବରଂ ପିଲାମାନଙ୍କ ସହ କଥା ହେଉଛନ୍ତି ଓ ଦୁର୍ଗମ ଅଞ୍ଚଳରେ ଥିବା ପିଲାମାନଙ୍କର ଡେଟାପ୍ୟାକ୍‌ ପାଇଁ ଅର୍ଥ ଦେଉଛନ୍ତି, ଟେଷ୍ଟ ପେପର ବି ପଠାଉଛନ୍ତି। ଏଠାରୁ କୋଚିଂ ପାଇ ବହୁ ପିଲା ଆଇଆଇଟି, ଏନ୍‌ଆଇଟି, ଆଇଆଇଏସ୍‌ସି ଓ ଅନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ସକ୍ଷମ ହୋଇପାରିଛନ୍ତି।