ଏଇ ଭାରତରେ

ଶନିବାର ରାଜସ୍ଥାନର ସିକର ସହରର ଦେବପୁରା ବାଲାଜୀ ମନ୍ଦିରରେ ହନୁମାନଜୀଙ୍କୁ ଏକ ନିଆରା ଭୋଗ ଅର୍ପଣ କରାଯାଇଛି। ଏଥିପାଇଁ ମନ୍ଦିରରେ ଏକ ବିଶାଳ ଚୁଲା ତିଆରି କରାଯାଇ ୨୭୦୦ କିଲୋଗ୍ରାମର ବିରାଟକାୟ ରୁଟି ପ୍ରସ୍ତୁତ କରାଯାଇଛି। ଯୋଧପୁର ଏବଂ ସୁରଟର ୨୦ଜଣ କାରିଗର ଏହାକୁ ପୂର୍ଣ୍ଣାମ ଧାମର ସନ୍ଥ ରାମଦାସ ମହାରାଜଙ୍କ ନିର୍ଦ୍ଦେଶନାରେ ପ୍ରାୟ ୨୩ ଘଣ୍ଟା ପରିଶ୍ରମ କରି ପ୍ରସ୍ତୁତ କରିଥିଲେ। ଅଖଣ୍ଡ ରାମଧୁନ ମଧ୍ୟରେ ତିଆରି ଏହି ଭୋଗକୁ ଅର୍ପଣ କରିବା ପରେ ଏହାର ଚୁର୍ମା ତିଆରି କରାଯାଇ ଶନିବାର ବଣ୍ଟନ କରାଯାଇଥିଲା। ଦେବପୁରା ବାଲାଜୀ ମନ୍ଦିରରେ ଏହି ରୁଟି ତିଆରି ପ୍ରକ୍ରିୟା ଶୁକ୍ରବାର ଭୋର ୪ଟା ୧୫ରେ ଆରମ୍ଭ ହୋଇଥିଲା। ୨୦ କାରିଗର ପ୍ରଥମେ ଏକ କ୍ରେନ୍‌ ସାହାଯ୍ୟରେ ଅଟାକୁ ଚକଟି ଥିଲେ। ଏହା ପରେ କ୍ରେନ୍‌ରେ ଏକ ରୋଲର୍‌ ବ୍ୟବହାର କରି ରୁଟି ବେଲାଯାଇଥିଲା ଓ ଏହାକୁ କ୍ରେନ୍‌ରେ ଉଠାଇ ବିଶାଳ ଚୁଲି ଉପରେ ଥିବା ତାଓ୍ବାରେ ରଖାଯାଇଥିଲା। ଶନିବାର ସକାଳ ୮ଟା ୧୫ ମିନିଟରେ ହନୁମାନଜୀଙ୍କୁ ଏହି ରୁଟି ଭୋଗଲାଗି କରାଯାଇଥିଲା। ଏହା ପରେ ଥ୍ରେସର ସାହାଯ୍ୟରେ ଚୁର୍ମା ତିଆରି କରି ପ୍ରସାଦ ବଣ୍ଟନ କରାଯାଇଥିଲା। ଦେବପୁର ବାଲାଜୀ ଧାମର ମହନ୍ତ ଓମ୍‌ ପ୍ରକାଶ କହିଛନ୍ତି, ଏହି ମହାଭୋଗର ପ୍ରସାଦ ପ୍ରାୟ ୨୫ ହଜାର ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ।