ଏଇ ଭାରତରେ

କେରଳର ବିଜୁ ନାରାୟଣନଙ୍କ ଅନେକ ଆବିଷ୍କାର ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ସେ ଏବେ ଏକ ସୋଲାର ମିକ୍ସି ନିର୍ମାଣ କରିଛନ୍ତି, ଯାହା ଗ୍ରାଇଣ୍ଡିଂ କରିବା ସହ ପାଖାପାଖି ୧୫ଟି କାର୍ଯ୍ୟ କରିପାରୁଛି। ଏହି ମେଶିନ ସୌରଶକ୍ତିରେ ଓ ରିମୋଟ୍‌ ଦ୍ୱାରା ଚାଲୁଛି। ଏହା ପରିବା କାଟିବା ସହ ନଡ଼ିଆ କୋରି ଦେଉଛି। ଘରେ କୌଣସି ସ୍ଥାନରେ ଧୂଆଁ ଉଠିଲେ ଏହା ଜଣାଇଦେଉଛି । ଏଥିରେ ଏକ ରେଡିଓ ମଧ୍ୟ ଅଛି ଓ ମୋବାଇଲ ଚାର୍ଜ ବ୍ୟବସ୍ଥା ରହିଛି। ଉକ୍ତ ମିକ୍ସିକୁ ଭାକ୍ୟୁମ୍‌ କ୍ଲିନର ଭାବେ ବି ବ୍ୟବହାର କରାଯାଉଛି। ଏଥିରେ ୩ ଓ୍ବାଟ୍‌ର ଏମର୍ଜେନ୍ସି ଲାଇଟ୍‌ ଥିବାବେଳେ ଛୋଟ ଫ୍ୟାନ୍‌ ମଧ୍ୟ ରହିଛି। ଏହାକୁ ନିର୍ମାଣ କରିବା ଲାଗି ତାଙ୍କୁ ୧ ଦଶନ୍ଧିରୁ ଅଧିକ ସମୟ ଲାଗିଛି। ବିଜୁ ମାତ୍ର ୧୨ ବର୍ଷ ବୟସରେ ଏକ ରେଡିଓ ତିଆରି କରିବା ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି। ୫୩ ବର୍ଷ ବୟସ୍କ ବିଜୁଙ୍କୁ ବିଭିନ୍ନ ଆବିଷ୍କାର ଲାଗି କେରଳର ରୁରାଲ ଇନୋଭେଶନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।