ଏଇ ଭାରତରେ

ଚିଠି ଲେଖି ଭଗବାନଙ୍କ ନିକଟରେ ଗୁହାରି କରୁଛନ୍ତି ଯୁବତୀ। ମଧ୍ୟପ୍ରଦେଶର ମଣ୍ଡସୌରରେ ଥିବା ପଶୁପତିନାଥ ମହାଦେବଙ୍କ ଦାନବାକ୍ସରୁ ମିଳିଛି ଏମିତି କିଛି ପତ୍ର ଯାହାକୁ ପଢିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଏଠାରେ ଦାନବାକ୍ସ ଖୋଲିବା ବେଳକୁ ସାଦାକାଗଜରେ ଲେଖାଥିବା କିଛି ପତ୍ର ଦେଖିବାକୁ ମିଳିଥିଲା। ଏସବୁ ଖୋଲି ପଢ଼ିବା ପରେ ଜଣାପଡିଥିଲା କି ଜଣେ ଯୁବତୀ ଭଗବାନଙ୍କୁ ଲେଖିଥିଲେ, ‘ଭଗବାନ ମୋ ବାହାଘର ‘ପବନ’ ନାମକ ଯୁବକ ସହ କରାଇ ଦିଅନ୍ତୁ।’ ଅନ୍ୟଜଣେ ନିଜ ଭାଇଙ୍କ ବାହାଘର ପାଇଁ ମହାଦେବଙ୍କୁ ଚିଠି ଲେଖି ଦାନବାକ୍ସରେ ପକାଇ ଦେଇଥିଲେ। ସେମିତି ଆଉ ଜଣେ ଯୁବତୀ ଲେଖିଥିଲେ, ‘ହେ ଭଗବାନ ମୋ ବାପା ମୋ କଥାରେ ରାଜି ହୋଇଯାଆନ୍ତୁ ଆଉ ମୋ ବାହାଘର ଶୀଘ୍ର ହୋଇଯାଉ।’ ଠାକୁରଙ୍କୁ ମିଳିଥିବା ଦାନ ସହ ଏସବୁ ଚିଠି ଆସିଥିଲା ଚର୍ଚ୍ଚାକୁ। ଏବେ କେତେକ ଭକ୍ତ ନିଜ ମନସ୍କାମନା ପୂରଣ ପାଇଁ ମହାଦେବଙ୍କ ଦାନବାକ୍ସରେ ଏଭଳି ପତ୍ର ଲେଖି ପକାଉଥିବା କହନ୍ତି ମନ୍ଦିର ପରିଚାଳକ। ଏହି ମନ୍ଦିରକୁ ଦେଶ ତଥା ଦେଶ ବାହାରୁ ଅନେକ ଭକ୍ତ ପରିଦର୍ଶନରେ ଆସି ଅର୍ଥ ଦାନ କରିଥାଆନ୍ତି।