ଏଇ ଭାରତରେ

ଆମ ଆଖପାଖରେ ରହୁଥିବା ବୁଲାକୁକୁରଙ୍କୁ ଦେଖିଲେ ଦୟା ଲାଗେ, କିନ୍ତୁ ସେମାନଙ୍କ ପାଇଁ କିଛି କରୁଥିବା ଲୋକମାନଙ୍କ ମଧ୍ୟରେ ବେଙ୍ଗାଲୁରୁର ରଜନୀ ସେଟ୍ଟୀ ଅନ୍ୟତମ। ୨୦ ବର୍ଷ ହେଲା ସେ ବୁଲାକୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ବଡ଼ କଥା ହେଉଛି ସେ ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଘରେ କାମ କରୁଥିଲେ ବି ବୁଲାକୁକୁରଙ୍କୁ ଖାଇବାକୁ ଦେବାରେ କେବେ ଅବହେଳା କରିନାହାନ୍ତି। ସେ ଗୋଟିଏ କି ଦୁଇଟି ନୁହେଁ, ପ୍ରତିଦିନ ୮୦୦ କୁକୁରଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଦୁଇ କୁଇଣ୍ଟାଲ ଚାଉଳ ଲାଗୁଛି। ଭାତ ସହ ଚିକେନ କରି କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ଏହି କାର୍ଯ୍ୟରେ ତାଙ୍କ ପରିବାରର ସହଯୋଗ ମିଳୁଛି। ସକାଳ ସାଢେ ୫ଟାରେ ଉଠି ଖାଦ୍ୟ ପ୍ରସ୍ତୁତ କରି ସ୍କୁଟରରେ କୁକୁରମାନଙ୍କ ପାଇଁ ନେଇ ଯାଉଛନ୍ତି। ସାଥୀରେ ବି ତାଙ୍କ ଝିଅ ଯାଇ ସହଯୋଗ କରୁଛନ୍ତି। ଏହି କାର୍ଯ୍ୟ ଲାଗି ଲୋକମାନେ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। କୁକୁରଙ୍କୁ ଖାଇବାକୁ ଦେବା ବ୍ୟତୀତ ରଜନୀ ବିପଦରେ ପଡ଼ିଥିବା ପ୍ରାଣୀମାନଙ୍କୁ ଉଦ୍ଧାର କରୁଛନ୍ତି। କୂଅରେ ପଶି ହେଉ ଅବା ଉଚ୍ଚ ପାଚେରିରେ ଚଢ଼ି ସେ ଏମାନଙ୍କୁ ଉଦ୍ଧାର କରୁଛନ୍ତି। ୨୦ ବର୍ଷ ମଧ୍ୟରେ ସେ ୨୦୦ ପ୍ରାଣୀଙ୍କୁ ମଧ୍ୟ ଉଦ୍ଧାର କରିସାରିଲେଣି।