ଏଇ ଭାରତରେ

ବହୁ ସମୟରେ ବନ୍ୟପ୍ରାଣୀଙ୍କ ଜୀବନ ନିଜ ଜୀବିକାଠାରୁ ଅଧିକ ହୋଇଯାଏ, ଯାହାର ପ୍ରମାଣ ମିଳିଛି ଛତିଶଗଡ଼ ଏମ୍‌.ସୂରଜଙ୍କ କାର୍ଯ୍ୟରୁ। ଚାକିରି ଛାଡି ସୂରଜ ବାଘ ଜୀବନ ରକ୍ଷା କରିବାରେ ନିଜ ଜୀବନ ଉତ୍ସର୍ଗ କରିଦେଇଛନ୍ତି। ଯୁବା ବୟସରେ ବନ୍ୟଜୀବ ସୁରକ୍ଷା ଏବେ ତାଙ୍କ ପାଇଁ ଏକ ଆହ୍ବାନ ପାଲଟିଛି। ଛତିଶଗଡ଼ର ଉଦନ୍ତି ସୀତା ନଦୀ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ସେ ଏହିି କାର୍ଯ୍ୟ ଜାରି ରଖିଛନ୍ତି। ୩୦ ବର୍ଷ ବୟସ୍କ ସୂରଜ ଏକ ଇଞ୍ଜିନିୟରିଂ କଲେଜରୁ ଅଧ୍ୟାପକ ଚାକିରି ଛାଡି ଏହି କାର୍ଯ୍ୟରେ ଲାଗିଛନ୍ତି। ଏଥିପାଇଁ ସେ ଏକ ଟିମ୍‌ ବି ଗଠନ କରିଛନ୍ତି। ଏହି ଟିମ୍‌ରେ ଓ୍ବାଇଲ୍ଡଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ, ରାଜ୍ୟ ବନ ବିଭାଗ ଏବଂ ଡ୍ୟାଭିଡ ସିପର୍ଡ ଓ୍ବାଇଲ୍ଡ ଲାଇଫ ଫାଉଣ୍ଡେଶନର କର୍ମଚାରୀମାନେ ସାମିଲ ହୋଇଛନ୍ତି। ଏବେ ସୁଦ୍ଧା ସୂରଜ ଏମାନଙ୍କ ସାହାଯ୍ୟରେ ଅଭୟାରଣ୍ୟର ୩୦୦ଟି ସ୍ଥାନକୁ ସର୍ଚ୍ଚକରିଛନ୍ତି। ଏହି ସମୟରେ ସେ ଶିକାରୀମାନଙ୍କ ଦ୍ୱାରା ବସାଯାଇଥିବା ୧୫୦ରୁ ଊର୍ଦ୍ଧ୍ୱ ଯନ୍ତା ଜବତ କରି ପ୍ରାଣୀଙ୍କ ଜୀବନ ବଞ୍ଚାଇପାରିଛନ୍ତି। କାଠ, ଜାଲ, ଷ୍ଟିଲ ତାର, ମାଉଥ ବମ୍‌ ଆଦି ଜବତ କରିବାରେ ସକ୍ଷମ ହୋଇଛନ୍ତି। ପ୍ରଥମେ ସେ କେବଳ ସାପ ଜୀବନ ବଞ୍ଚାଉଥିତ୍ଲେ। ପରେ ଚିତାବାଘ ସହ ହରିଣ, ହେଟାବାଘ, ମାଙ୍କଡ଼ ଏବଂ ବିଭିନ୍ନ ପକ୍ଷୀଙ୍କ ସଂରକ୍ଷଣରେ ଲାଗିଛନ୍ତି। ଏବେ ସେ ସରକାରଙ୍କ ସହାୟତାରେ ଭୋରାମ୍‌ଦେଓ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଆଉ ଏକ ଅଭିଯାନ ଆରମ୍ଭ କରିଦେଇଛନ୍ତି।