ଏଇ ଭାରତରେ

ଆଜିକାଲି ମଣିଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆବଶ୍ୟକ କରୁଥିବା ବ୍ୟକ୍ତିଠାରେ ପ୍ରତିରୋପଣ କରାଯାଇ ପାରୁଛି। ତେଣୁ ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ମାନବ ଅଙ୍ଗର ଉପଯୋଗିତା ଖୁବ୍‌ ବେଶି କହିଲେ ଚଳେ। ତେଣୁ ଅଙ୍ଗଦାନ ଏକ ମହାନ୍‌ ଦାନ ଭାବେ ବିବେଚିତ ହେଉଛି। ଶରୀରର ବିଭିନ୍ନ ଅଙ୍ଗ ମଧ୍ୟରେ ବୃକ୍‌କ, ହୃତ୍‌ପିଣ୍ଡ, ଯକୃତ, କର୍ନିଆ ଆଦି ଅନ୍ୟତମ। ତେବେ ୩ ବର୍ଷ ଝିଅର ଶରୀର ଦାନ କରିଛନ୍ତି ମାତାପିତା। ଏପରି ଏକ ଘଟଣା ଘଟିଛି ରାଜସ୍ଥାନର ଯୋଧପୁରରେ। ମାତାପିତା ୩ ବର୍ଷ ଝିଅର ଶରୀର ଦାନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏତେ କମ୍‌ ବୟସରେ ଶରୀର ଦାନ ଦେଶର ପ୍ରଥମ ଘଟଣା ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଯୋଧପୁର ରୋଡଓ୍ବେଜରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିବା ଉମ୍ମେଦ ସିଂଙ୍କ ୩ ବର୍ଷର କୋମଳମତି କନ୍ୟା ଜ୍ୟୋତିଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ଜ୍ୟୋତି ଜନ୍ମରୁ ହୃଦ୍‌ରୋଗରେ ପୀଡିତ ଥିଲେ। ଏହାପରେ ତାଙ୍କ ଶରୀର ଚିକିତ୍ସା ବିଜ୍ଞାନରେ ଗବେଷଣା ପାଇଁ ସହାୟକ ହୋଇପାରିବ ଭାବି ଉମ୍ମେଦ ଓ ତାଙ୍କ ପତ୍ନୀ ଜ୍ୟୋତିଙ୍କ ଶରୀର ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।