ଏଇ ଭାରତରେ

ଦୁଇ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ। ତାହାକୁ କିିଣିବା ପାଇଁ ଉଭୟେ ଚପଲରେ ପିଟାପିଟି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଝିମିଟି ଖେଳରୁ ମହାଭାରତ ସୃଷ୍ଟିହେବା ଭଳି ସାଧାରଣ କଥାକୁ ନେଇ ଦୁଇ ମହିଳା ଚୁଟି ଧରାଧରି ପର୍ଯ୍ୟନ୍ତ କଥା ଯାଇଥିଲା। ସାଧାରଣ କଥାକୁ କେନ୍ଦ୍ରକରି ମଣିଷପଣିଆ ବଳିପଡିଥିଲା। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ସ୍ଥାନୀୟ ବିଜ୍‌ନୋରସ୍ଥିତ ନାଜିଆବାଦ୍‌ରେ ଏକ ପୋଷାକ ଦୋକାନରେ ଦୁଇଜଣ ମହିଳା ଗୋଟିଏ ପୋଷାକକୁ ପସନ୍ଦ କରିଥିଲେ। ଏହାକୁ ନେବା ପାଇଁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ପରେ ସେମାନେ ହାତାହାତି ଓ ଠେଲାପେଲା ହୋଇଥିଲେ। ଦୋକାନୀ ମାମଲା ରଫାଦଫା କରିବା ଲାଗି ମହିଳା ଦୁଇଜଣଙ୍କୁ ବୁଝାଇଥିଲେ। ମାତ୍ର ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ମାମଲା ଥାନାରେ ପହଞ୍ଚିଥିଲା। ପୋଲିସ ଉଭୟଙ୍କୁ ବୁଝାଶୁଝା କରି ଘରକୁ ପଠାଇଥିବା କୁହାଯାଉଛି। ଦୁଇ ମହିଳା ଚପଲରେ ପରସ୍ପରକୁ ପିଟୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।