ଏଇ ଭାରତରେ

ମଇଳା ପାଣି ନାଳୀ ପାଲଟିଯାଇଥିବା ପୁରାତନ ଘରାର୍‌ ନଦୀକୁ ଜୀବନ ଦେଇପାରିଛନ୍ତି ଉତ୍ତରପ୍ରଦେଶର ବିଲଖର ଗ୍ରାମବାସୀ। ଚେକ୍‌ଡ୍ୟାମ ଓ ଜବରଦଖଲ କାରଣରୁ ପାନା ପର୍ବତରୁ ବାହାରି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ୪୦ଟି ଗାଁ ଦେଇ ପ୍ରବାହିତ ହେଉଥିବା ଏହି ନଦୀ ମଇଳା ନାଳୀରେ ପରିଣତ ହୋଇଯାଇଛି। ଏବେ ଏହି ନଦୀକୁ ବନ୍ଦା ଜିଲା ବିଲଖର ଗାଁର ଏକ ପଡା ଭାବରପୁରର କ୍ଷୁଦ୍ର ଓ ମଧ୍ୟମ ଚାଷୀମାନେ ସଫା କରି ପାଣି ଆଣି ଗାଁକୁ ଶସ୍ୟଶ୍ୟାମଳା କରିବା ସହ ରୋଜଗାର ପାଇବାକୁ ସକ୍ଷମ ହୋଇପାରିଛନ୍ତି। ଅନ୍ୟ ଗାଁର ଲୋକେ ବି ଏହାଦ୍ୱାରା ଉପକୃତ ହୋଇଛନ୍ତି। ମରୁଡି ଯୋଗୁ ଭାବରପୁର ଚାଷୀମାନେ ପ୍ରତିବର୍ଷ ଦାଦନ ଖଟିବାକୁ ଚାଲିଯାଆନ୍ତି। ଲକ୍‌ଡାଉନରେ ସେମାନେ ଗାଁକୁ ଫେରିଆସିବା ପରେ ଏମ୍‌ଜିଏନ୍‌ଆର୍‌ଇଜିଏରେ କାମ ନ ପାଇ ଗାଁ ପାଖଦେଇ ପ୍ରବାହିତ ଘରାର୍‌ ନଦୀକୁ ସଫା କରିବାରେ ଲାଗିଥିଲେ। ଉଭୟ ପୁରୁଷ ଓ ମହିଳା ମିଶି ପ୍ରାୟ ୬୦ ଜଣ ଗ୍ରାମବାସୀ ଜୁନ ୧୦ରେ ସ୍ବେଚ୍ଛାକୃତ ଭାବେ ଶ୍ରମଦାନ କରିବା ଆରମ୍ଭ କରିଥିଲେ। ଜୁନ ୧୮ ସୁଦ୍ଧା ପ୍ରାୟ ୨କି.ମି. ସଫା କରିଦେଲେ। ଏହା ଦେଖି ଅନ୍ୟ ଗାଁର ଲୋକମାନେ ସ୍ବେଚ୍ଛାକୃତ ଭାବେ ତାଙ୍କ ସହ ଯୋଗ ଦେଇଛନ୍ତି। ପରେ ପ୍ରଶାସନ ଏହାକୁ ଏମ୍‌ଜିଏନ୍‌ଆର୍‌ଇଜିଏ ଅଧୀନକୁ ନେଇ ଶ୍ରମଦାନୀମାନଙ୍କୁ ପାରିଶ୍ରମିକ ଦେବା ଆରମ୍ଭ କରିଛି। ଜୁନ୍‌ ଶେଷସୁଦ୍ଧା ଏମାନେ ୩ କି.ମି. ନଦୀ ସଫା କରିଦେଇଛନ୍ତି। ଗାଁର ଥିଲାବାଲା ଲୋକେ ଶ୍ରମଦାନୀମାନଙ୍କୁ ଚାଷ ପାଇଁ କିଛି କିଛି ଜମି ବି ଦେଇଛନ୍ତି।
ନଦୀ ସଫେଇ କାର୍ଯ୍ୟ କରିବା ଲାଗି ଭାବରପୁର ଗ୍ରାମବାସୀ ତଥା ସ୍ବେଚ୍ଛାସେବୀମାନେ କ୍ୟାମ୍ପ୍‌ କରି ରହିଛନ୍ତି। ଆଖପାଖ ଗାଁର ଲୋକମାନେ ଏମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି। ବଞ୍ଚିବା ଲାଗି ଯେଉଁ ଆଶଙ୍କା ଓ ଅନିଶ୍ଚିିତତା ଲାଗି ରହୁଥିଲା ତାହାକୁ ସେମାନେ ନିଜସ୍ବ ଉଦ୍ୟମରେ ଦୂର କରିପାରିଥିବାରୁ ଖୁସି ପ୍ରକଟ କରିଛନ୍ତି।