ଏଇ ଭାରତରେ

ଜୀବନରେ ରୋଜଗାର କରି ଚଳିବାର ଲକ୍ଷ୍ୟ କାହାର କେମିତି ଥାଇପାରେ,କିନ୍ତୁ ରାଜକୁମାରୀ କିନ୍ନରଙ୍କ ଦୃଷ୍ଟିଭଙ୍ଗୀ ଭିନ୍ନ। ସେ ଏକାକୀ ରୋଜଗାର କରି ୮ ଜଣ ଅନାଥ ଶିଶୁଙ୍କୁ ପାଳିପୋଷି ମଣିଷ କରିଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ ଝିଅ ଓ ୩ ପୁଅ। ସବୁ ଝିଅ ଓ ବଡ଼ ପୁଅଙ୍କୁ ବାହା କରି ଦେଇଛନ୍ତି। ୯ ମାସର ପୁଅଟିଏ ଓ ୧୩ ବର୍ଷୀୟ ପୁଅ ଶୁଭମ୍‌ ସହ ତାଙ୍କର ବେଶି ସମୟ କଟୁଛି। ଟ୍ରାନ୍ସଓମ୍ୟାନ୍‌ ରାଜକୁମାରୀଙ୍କୁ ଏବେ ବୟସ ୫୫। ତାଙ୍କୁ ଲୋକମାନେ ଶ୍ରଦ୍ଧାରେ ଡାକନ୍ତି ରାଜକୁମାରୀ କିନ୍ନର ମା’। ସେ ଝାଡ଼ଖଣ୍ଡ ବୋକାରୋ ଜିଲାର ରିତୁଡିହି ଗାଁରେ ରହନ୍ତି। ୧୦ ବର୍ଷ ବୟସରେ ତାଙ୍କୁ ମା’ବାପା ଘରୁ ବାହାର କରିଦେବା ପରେ ସେ ବୋକାରୋ ଆସି ଏକ ମନ୍ଦିର ପାଖ ରାସ୍ତାରେ ଜୀବନ କଟାଇଥିଲେ। ପରେ ସେଠାକାର କିନ୍ନର ସମାଜ ତାଙ୍କୁ କୋଳେଇ ନେଇଥିଲା। ଜୀବନ ସଂଗ୍ରାମରେ ଜିତିବା ପରେ ସେ ଅନ୍ୟମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଅସହାୟମାନଙ୍କୁ ଖାଦ୍ୟ ଓ ପୋଷାକ ବାଣ୍ଟୁଛନ୍ତି। ଗରିବ ପରିବାରର ଝିଅଙ୍କ ବାହାଘରରେ ବି ଖର୍ଚ୍ଚ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିତ୍ବା ଅନାଥ ଆଶ୍ରମର ପିଲାଙ୍କ ଶିକ୍ଷା ପାଇଁ ଅର୍ଥ ଏବଂ ଗୃହହୀନ ବରିଷ୍ଠ ନାଗରିକଙ୍କୁ ବସ୍ତ୍ର ଓ ରାଶନ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥ ରୋଜଗାର କରିବା ଲାଗି ସେ ବହୁ କଷ୍ଟ ସ୍ବୀକାର କରୁଛନ୍ତିି। ନବଜାତ ଶିଶୁ ତଥା ନବଦମ୍ପତିଙ୍କୁ ଆଶୀର୍ବାଦ କରିବାକୁ ଯେଉଁମାନେ ରାଜକୁମାରୀଙ୍କୁ ଡାକିଥାନ୍ତି ସେମାନେ ତାଙ୍କୁ ଟଙ୍କା ଓ ଗହଣା ଦାନ ଦେଇଥାନ୍ତି। ରୋଜଗାର କରିବାକୁ ସେ ରାସ୍ତାରେ ନାଚନ୍ତି। ସହରର ବିଭିନ୍ନ ଜାଗାରେ କାମ ବି କରନ୍ତି। ଗହଣା ବିକି ସେ ଏହି କାର୍ଯ୍ୟରେ ଖର୍ଚ୍ଚ କରୁଛନ୍ତି। କରୋନା ମହାମାରୀ ସମୟରେ ଯେତେ କଷ୍ଟ ହେଲେ ମଧ୍ୟ ଏହି ସେବା ଜାରି ରଖିବେ ବୋଲି କହନ୍ତି ରାଜକୁମାରୀ।