ଏଇ ଭାରତରେ

ପଡ଼ିଆ ଜମିକୁ ଶସ୍ୟଶ୍ୟାମଳା କରିବାରେ କେରଳରେ ଏକ ବ୍ଲକର ଗାଁଗୁଡ଼ିକ ଉଦାହରଣ ସୃଷ୍ଟି କରିଛନ୍ତି। ଥିରୁଭାନନ୍ତପୁରମ୍‌ ଜିଲାର ନେଦୁମନଗଡ ତହସିଲ ଅନ୍ତର୍ଗତ ନେଦୁମନଗଡ ବ୍ଲକର ପଞ୍ଚାତଗୁଡ଼ିକରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗତ ୪ ବର୍ଷ ମଧ୍ୟରେ ୧୦୦ ଏକର ପଡିଆ ଜମିରେ ଜୈବିକ କୃଷି କରାଯାଇପାରିଛି। ନେଦୁମନଗଡର ଛାତ୍ର, କୃଷକ ଓ ବ୍ୟବସାୟୀମାନଙ୍କ ଦ୍ୱାରା ୨୦୧୬ରେ ‘ଜୈବଗ୍ରାମ’ ଅଭିଯାନ ଆରମ୍ଭ କରାଯାଇଥିଲା। ସ୍ଥାନୀୟ ସହକାରୀ କୃଷି ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ ପ୍ରଥମେ ୩ ଏକର ପଡିଆ ଜମିରୁ ଆରମ୍ଭ କରାଯାଇଥିଲା। ପଞ୍ଚାୟତ ସଦସ୍ୟ ଓ ଅଧିକାରୀମାନେ ଏଥିପାଇଁ ସହଯୋଗ କରିବା ଦ୍ୱାରା ବିଭିନ୍ନ ଗ୍ରାମରେ ଅଭିଯାନକୁ ଚାଲୁ କରାଯିବା ସହ ଏବେ ୧୦୦ ଏକର ଜମିରେ ଚାଷ ଚାଲିଛି। ଏଥିରେ ପଞ୍ଚାୟତର ୨୧,୦୦୦ ପରିବାର ଯୋଡି ହୋଇଛନ୍ତି ଓ ଚାଷ କରିବା ଲାଗି ୯୭ ଜଣ ସଦସ୍ୟ ଚୟନ କରାଯାଇଛି। ଜୈବଗ୍ରାମ ଅଭିଯାନରେ ଭାଗ ନେଇଥିବା ଲୋକମାନଙ୍କୁ ୩୮୦ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଏହାର ଲାଭାଂଶ ଚାଷୀଙ୍କ ପାଖକୁ ଯାଉଛି ଓ ସେଥିରୁ କିଛି ଏହି ଅଭିଯାନକୁ ଆଗକୁ ବଢ଼ାଇବା ଲାଗିି ବ୍ୟୟ କରାଯାଉଛି। ‘ଜୈବଗ୍ରାମ’କୁ ସଫଳତା ମିଳିବା ପରେ କେତେକ ପଞ୍ଚାୟତରେ ପରିବା ଓ ଫୁଲ ଚାଷରେ ସ୍ବାବଲମ୍ବୀ ହେବା ପାଇଁ ‘ବଲ୍ଲମ ନୀରା’ ଅଭିଯାନ ଆରମ୍ଭ କରାଯାଇଛି। ନେଦୁମନଗଡର ପଞ୍ଚାୟତଗୁଡିକରେ ‘ଜୈବସଭା’ ବି ଆୟୋଜନ କରାଯାଉଛି।