ଏଇ ଭାରତରେ

ମୁମ୍ବାଇରେ ଯଦି ଲୋକମାନେ ଅଧିକ ପାଣି ପାଉଛନ୍ତି ତେବେ ମହାରାଷ୍ଟ୍ରର କୃଷକମାନେ କାହିଁକି ପାଣି ପାଇବାରୁ ବଞ୍ଚିତ ହେବେ? ଏଭଳି ଏକ ପ୍ରଶ୍ନ ଉଙ୍କି ମାରିଥିଲା ସିଭିଲ ଇଞ୍ଜିନିୟର ଉଲ୍ଲାସ ପରାଞ୍ଜପେଙ୍କ ମନରେ। ପରେ କୃଷକମାନଙ୍କ ଜଳ ସମସ୍ୟା ଦୂର କରିବା ଲାଗି ସେ ଆରମ୍ଭ କରିଥିଲେ ଅଭିଯାନ। ଏବେସୁଦ୍ଧା ରାଜ୍ୟର ମରୁଡ଼ି ପ୍ରପୀଡିତ ୧୭ଟି ଜିଲାର ୩୫୦ରୁ ଊର୍ଦ୍ଧ୍ୱ କୃଷକଙ୍କ ଜଳ ସମସ୍ୟା ଦୂର କରିପାରିଛନ୍ତି। ସେ ୨୦୦୩ରୁ ‘ଜଳବର୍ଦ୍ଧିନୀ ପ୍ରତିଷ୍ଠାନ’ ମାଧ୍ୟମରେ କୃଷକମାନଙ୍କ ପାଇଁ ବର୍ଷାଜଳ ସଂରକ୍ଷଣ ଟାଙ୍କି ନିର୍ମାଣ କରୁଛନ୍ତି। ପ୍ରଥମେ ରାଇଗଡ଼ ଓ କୋଙ୍କଣ ଜିଲାରୁ ଏହି ଅଭିଯାନ ଆରମ୍ଭ କରି ପରେ ଅନ୍ୟ ଜିଲାକୁ ସମ୍ପ୍ରସାରଣ କରିଛନ୍ତି। ଏହି କାର୍ଯ୍ୟରେ ପରାଞ୍ଜପେଙ୍କୁ ତାଙ୍କ ପରିବାର ବି ସହଯୋଗ କରୁଛି। ସିଭିଲ ଇଞ୍ଜିନିୟର ଭାବେ ଚାକିରି କରିବା ସମୟରେ ସେ ମରୁଡି ପ୍ରପୀଡିତ ଅଞ୍ଚଳରେ ଆଦିବାସୀ କୃଷକଙ୍କ ଦୁର୍ଦ୍ଦଶା ଦେଖିଥିଲେ। ଏଣୁ ସେ ଆଦିବାସୀମାନଙ୍କୁ ଏହି ପଦ୍ଧତିରେ ବର୍ଷାଜଳ ସଂଗ୍ରହ କରି ଚାଷ କରିବା ଲାଗି ଅଧିକ ଉତ୍ସାହିତ କରୁଛନ୍ତି ବୋଲି କୁହନ୍ତି ୭୨ ବର୍ଷୀୟ ପରାଞ୍ଜପେ। ଆଦିବାସୀ କୃଷକମାନଙ୍କଠାରୁ ପାଣି ଟାଙ୍କି ନିର୍ମାଣ ଲାଗି ଧାର୍ଯ୍ୟ ମୂଲ୍ୟର ଅଧା ନେଉଛନ୍ତି। କେବଳ ମହାରାଷ୍ଟ୍ର ନୁହେଁ କର୍ନାଟକ, ଗୁଜରାଟ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଏହି ସିଷ୍ଟମ୍‌ ନିର୍ମାଣ କରିବା ଆରମ୍ଭ କରିଛନ୍ତି। କୃଷକମାନଙ୍କୁ ଏ ସମ୍ପର୍କରେ ଅବଗତ କରିବା ପାଇଁ ଏହି ସବୁ ରାଜ୍ୟରେ ୮ଟି ଏନ୍‌ଜିଓ ଓ ୩୩ଟି କଲେଜକୁ ସାମିଲ କରିଛନ୍ତି।