ଏଇ ଭାରତରେ

ମଣିପୁର ଚୌରାଚନ୍ଦ୍ରପୁରସ୍ଥ ସେଣ୍ଟ ଷ୍ଟିଫେନ୍‌ ଇଂଲିଶ ମିଡିୟମ୍‌ ସ୍କୁଲର ପ୍ରିନ୍ସିିପାଲ ରବିନ ଏସ୍‌. ପୁଖରାମ୍‌ ସ୍କୁଲ ଓ ପିଲାଙ୍କ ଉନ୍ନତି ପାଇଁ ଭିନ୍ନ ପନ୍ଥା ଆପଣାଇଛନ୍ତି। ସେ ଓ ତାଙ୍କ ସାଥୀ ଶିକ୍ଷକମାନେ ସ୍କୁଲ୍‌ଠାରୁ ଶହ ଶହ କିଲୋମିଟର ଦୂର ଦୁର୍ଗମ ଗାଁଗୁଡିକୁ ଯାଇ ଅଭିଭାବକମାନଙ୍କୁ ସାକ୍ଷାତ୍‌ କରୁଛନ୍ତି। ଦୁର୍ଗମ ଗାଁଗୁଡ଼ିକର ଅଭିଭାବକମାନେ ଅଧିକାଂଶ କୃଷକ ଓ ଦିନମଜୁରିଆ। ବହୁ କଷ୍ଟରେ ସେମାନେ ପିଲାମାନଙ୍କୁ ସ୍କୁଲକୁ ପଠାଉଛନ୍ତି। ଅଭିଭାବକମାନଙ୍କୁ ସ୍କୁଲରେ ପହଞ୍ଚିବା ଲାଗି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ଏଣୁ ଅଭିଭାବକ ଓ ଶିକ୍ଷକ ବୈଠକରେ ସେମାନେ ଯୋଗଦେବା ସମ୍ଭବ ହେଉ ନ ଥିବାରୁ ରବିନ ସାର୍‌ ୨୦୧୬ରେ ପ୍ରିନ୍ସିପାଲ ଦାୟିତ୍ୱ ନେବା ପରେ ଏଭଳି ବ୍ୟବସ୍ଥା କରିଛନ୍ତି। ସେମାନେ ଦୁର୍ଗମ ଗାଁଗୁଡ଼ିକୁ ଗାଡିରେ ଯାଉଥିତ୍ଲେ ବି ଅତିକମ୍‌ରେ ୧୦ରୁ ୧୨ କି.ମି. ଜଙ୍ଗଲ ଓ ପାହାଡିଆ ରାସ୍ତାରେ ଚାଲିବାକୁ ପଡ଼େ। ବହୁ ଦୂର ଗାଁକୁ ଗଲେ ଫେରି ନ ପାରି ସେଠାରେ ରାତିରେ ରହିଯାଆନ୍ତି। ସେଠାକାର ଅଭିଭାବକମାନେ ସାର୍‌ଙ୍କୁ ବ୍ଲାକ୍‌ ଟି’ ଦେଇ ସ୍ବାଗତ କରି ସ୍କୁଲ ଏବଂ ପିଲାଙ୍କ ବିଷୟରେ ଆଲୋଚନା କରିଥାଆନ୍ତି। ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଏଭଳି ଗାଁକୁ ଯିବାକୁ ପଡ଼େ ରବିନ ସାର୍‌ଙ୍କୁ। ୨୦୧୮ରୁ ସେ ଏହା କରିଆସୁଛନ୍ତି। ୨୦୧୫ରେ ଏହି ସ୍କୁଲ୍‌ରେ ୫୦ ଜଣ ପିଲା ଥିବାବେଳେ ଏବେ ୫୪୫ ପିଲା ପଢୁଛନ୍ତି। ସେ ପିଲାମାନଙ୍କ ସୁବିଧା ଲାଗି ନିଜ ସଞ୍ଚିତ ଅର୍ଥରେ ଏକ ହଷ୍ଟେଲ୍‌ ନିର୍ମାଣ କରିଛନ୍ତି ଓ ଏଥିରେ ଏବେ ୨୦୦ ପିଲା ରହୁଛନ୍ତି।