ଏଇ ଭାରତରେ

ଆସାମରେ କାର୍‌ ଚଲାଉଥିବା ଜଣେ ମହିଳା ପରେ ବ୍ୟବସାୟୀ ପାଲଟି ୧୦,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସଶକ୍ତ କରିବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ମନ୍ଦିରା ବରୁଆ। ମନ୍ଦିରାଙ୍କୁ ଯେତେବେଳେ ବୟସ ୧୬ ବର୍ଷ ସେତେବେଳେ ତାଙ୍କ ବାହାଘର ହୋଇଥିଲା। ତାଙ୍କ ସ୍ବାମୀ ଆସାମ ସରକାରଙ୍କ ଜଳ ସଂଶାଧନ ବିଭାଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଥିଲେ ବି ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଗତ କାରଣ ଯୋଗୁ ସେ ଚାକିରି ହରାଇଥିଲେ। ପରିବାରର ସବୁ ବୋଝ ମନ୍ଦିରାଙ୍କ ଉପରକୁ ଆସିବା ପରେ ଟଙ୍କା ପାଇଁ ଘର ବନ୍ଧା ରଖିଲେ ଓ ଶେଷରେ ତାହା ବିକ୍ରି ହୋଇଯାଇଥିଲା। ଘର ଚଳାଇବା ଲାଗି ସେ ଏକ କ୍ଲିନିକ୍‌ରେ କେୟାରଗିଭର ଭାବେ କାର୍ଯ୍ୟ କରିବା ସହ ରୋଷେଇ, ଘରସଫା ଓ ବଗିଚା କାମ କରି ରୋଜଗାର କରିଥିଲେ। ଏହାବାଦ ସକାଳେ ଓ ସନ୍ଧ୍ୟା ପରେ କାର୍‌ ଡ୍ରାଇଭର ଭାବେ କାର୍ଯ୍ୟ କଲେ। ୨୦୦୧ରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସେ ‘ସତସରିି’ ଏନଜିଓ ଗଠନ କରି ତା’ମାଧ୍ୟମରେ ମହିଳାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଆମତ୍ନିର୍ଭରଶୀଳ କରିବାରେ ଲାଗିଲେ। ‘ମନ୍ଦିରା ସଲ୍ୟୁଶନ’ ସଂସ୍ଥା ଗଠନ କରି ପ୍ରତି ବର୍ଷ ଆଖପାଖ ଗାଁର ୨୫-୩୦ ଜଣ ଝିଅଙ୍କୁ ଘରେ ତଥା ଓଲ୍ଡଏଜ୍‌ ହୋମ୍‌ରେ କାର୍ଯ୍ୟ କରିବା ଲାଗି ପ୍ରଶିକ୍ଷଣ ଦେଉଛନ୍ତି। ନର୍ସିଂ ସ୍କୁଲ ବି ଖୋଲିଛନ୍ତି। ଗାଁ ଗାଁରେ ନାଚ ଗୀତ ମାଧ୍ୟମରେ ମହିଳାମାନଙ୍କୁ ସଚେତନ କରୁଛନ୍ତି। ‘ସତସିରା’ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ୫,୦୦୦ ମହିଳାଙ୍କୁ ରୋଜଗାରକ୍ଷମ କରିପାରିଛି। ମନ୍ଦିରା ଘରୋଇ ହିଂସା,ଯୌନ ନିର୍ଯାତନା ଆଦି ବିରୋଧରେ ସଚେତନତା ସୃଷ୍ଟି କରୁଛନ୍ତି। ସେ ମଧ୍ୟ ଏକ ଟ୍ରାଭେଲ ଏଜେନ୍ସି ପରିଚାଳନା କରୁଛନ୍ତି। ତାଙ୍କୁ ଏବେ ବୟସ ୫୧। ହଜାର ହଜାର ମହିଳାଙ୍କ ମୁହଁରେ ହସ ଫୁଟାଇ ପାରିଥିବା ମନ୍ଦିରା ଆସାମରେ ଏକ ସ୍ବତନ୍ତ୍ର ପରିଚୟ ଆଣିପାରିଛନ୍ତି।