ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଦେଶର ପ୍ରାୟ ସବୁ ହସ୍ପିଟାଲରେ ରୋଗୀମାନଙ୍କ ନିକଟରେ ରହୁଥିବା ଲୋକମାନେ ଖାଦ୍ୟ ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଙ୍ଗାଲୁରର ଏକ ହସ୍ପିଟାଲରେ ଏଭଳି ସମସ୍ୟାକୁ ଦୂର କରିବା ଲାଗି ଆଗେଇ ଆସିଛନ୍ତି ସୟଦ ଗୁଲାବ। ରାଜୀବ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟିବି ଆଣ୍ଡ୍‌ ଚେଷ୍ଟ୍‌ ଡିଜିଜ୍‌ ହତାରେ ସେ ଦୈନିକ ୭୦୦ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ପ୍ରଥମେ ସେ ୧୦୦ ଜଣଙ୍କୁ ଖାଦ୍ୟ ବାଣ୍ଟୁଥିଲେ। ଏବେ ତାହା ବୃଦ୍ଧି ପାଇ ୭୦୦ରେ ପହଞ୍ଚିଛି। ଏଥିପାଇଁ ସେ ମାସକୁ ୩ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ଏହାର ୨୫ ପ୍ରତିଶତ ସେ ନିଜ ପକେଟରୁ ଦେଉଥିବାବେଳେ ଆଉ ସବୁ ଲୋକମାନେ ଦାନ କରୁଛନ୍ତି। ସୟଦ ଏହି କାର୍ଯ୍ୟ ଲକଡାଉନ ସମୟରେ ଆରମ୍ଭ କରିନାହାନ୍ତି, ବରଂ ଏହା ପୂର୍ବରୁ ସେ ଗରିବ ଲୋକମାନଙ୍କୁ କେବଳ ରବିବାର ଦିନ ମାଗଣାରେ ଖାଦ୍ୟ ଦେଉଥିଲେ। କିଛି ଦିନ ପରେ ଦୈନିକ ଖାଦ୍ୟ ବଣ୍ଟନ କରିବା ଲାଗି ସେ ୪ ବର୍ଷ ପୂର୍ବେ ‘ରୋଟି ଚ୍ୟାରିଟି ଟ୍ରଷ୍ଟ’ ପଞ୍ଜୀକରଣ କରି ଏହି ହସ୍ପିଟାଲରୁ ଅନୁମତି ଲୋଡିଥିଲେ। ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ ସୟଦଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅନୁମତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟ ଲାଗି ତାଙ୍କୁ ହାଇଦ୍ରାବାଦର ଆଝାର ମ୍ୟାକ୍‌ସୁସିଙ୍କ ସହଯୋଗ ମିଳିଥିଲା। ମ୍ୟାକ୍‌ସୁସି ଦୀର୍ଘଦିନ ହେବ ହାଇଦ୍ରାବାଦରେ ମାଗଣାରେ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ସୟଦ ସକାଳ ୫ଟାରେ ଉଠି ଘର କାର୍ଯ୍ୟ ଶେଷ କରି ହସ୍ପିଟାଲରେ ପହଞ୍ଚିଯାଉଛନ୍ତି ଓ ୬ଟା ସୁଦ୍ଧା ଧାଡିରେ ଥିବା ଲୋକମାନଙ୍କୁ ଖାଦ୍ୟ ପରଷି ଦେଉଛନ୍ତି। ଏହା ପରେ ସେ ଘରକୁ ଫେରି ପୁଣି ୧.୩୦ ମିନିଟ୍‌ ସୁଦ୍ଧା ଖାଦ୍ୟ ଧରି ହସ୍ପିଟାଲରେ ପହଞ୍ଚିଯାଉଛନ୍ତି। ଅନେକ ଏଠାରେ ଖାଉଥିବାବେଳେ ଆଉ କେତେଜଣ ପାର୍ସଲ ନେଉଛନ୍ତି।