ଏଇ ଭାରତରେ

ଗାଈ ମୃତ୍ୟୁ ସହ ଏକ ଅଜବ ବିଶ୍ୱାସ ଯୋଡିହୋଇ ରହିଛି ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ। ଏହି ଅଞ୍ଚଳର ପାଥରି ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ବ୍ୟକ୍ତିଙ୍କ ଭୁଲ୍‌ ଯୋଗୁ ଗୋଟିଏ ବାଛୁରିର ମୃତ୍ୟୁ ଘଟିଥିଲା। ଏହା ପରେ ପଞ୍ଚାୟତ ବୈଠକ ଡକାଯାଇଥିଲା। ଏହି ବୈଠକରେ ବ୍ୟକ୍ତି ଜଣଙ୍କୁ ପ୍ରାୟଶ୍ଚିତ୍ତ ନିମନ୍ତେ ତାଙ୍କ ନାବାଳିକା କନ୍ୟାର ବାହାଘର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବ୍ୟକ୍ତି ଜଣକ ମୋଟର ସାଇକେଲ୍‌ରେ ଯାଉଥିବା ସମୟରେ ବାଛୁରିଟି ହଠାତ୍‌ ରାସ୍ତାକୁ ଚାଲି ଆସିବାରୁ ଧକ୍କାରେ ତା’ର ମୃତ୍ୟୁ ହୋଇଥିଲା। ପରେ ପାପ କ୍ଷୟ ଲାଗି ସେହି ବ୍ୟକ୍ତି ଗଙ୍ଗା ସ୍ନାନ କରି ଗ୍ରାମବାସୀଙ୍କୁ ଭୋଜି ଦେବାକୁ ପ୍ରସ୍ତୁତ ହୋଇଯାଇଥିଲେ, କିନ୍ତୁ ଗ୍ରାମବାସୀ ଏଥିରେ ରାଜି ନ ହୋଇ ତାଙ୍କ ନାବାଳିକା କନ୍ୟାର ବାହାଘର କରିବା ଲାଗି ପଞ୍ଚାୟତ ବୈଠକରେ କହିଥିଲେ। ପଞ୍ଚାୟତର ନିର୍ଦ୍ଦେଶକ୍ରମେ ଝିଅର ବାହାଘର କରିବା ପାଇଁ ବ୍ୟକ୍ତି ଜଣକ ରାଜି ହୋଇ ଯୋଗାଡ଼ରେ ଲାଗିଗଲେ। କିନ୍ତୁ ପଞ୍ଚାୟତର ଫଇସଲା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପାଖରେ ପହଞ୍ଚିବା ପରେ ପୋଲିସ ବାହାଘର ବନ୍ଦ କରିଥିଲା। ପରେ କନ୍ୟାଙ୍କୁ ୧୮ ବର୍ଷ ହେବା ଯାଏ ବାହାଘର ନ କରିବା ଲାଗି ପରିବାରଠାରୁ ଲିଖିତ ପ୍ରତିଶ୍ରୁତି ନିଆଯାଇଥିଲା। କୁହାଯାଏ କି, ମଧ୍ୟପ୍ରଦେଶର ଗ୍ରାମାଞ୍ଚଳଗୁଡିକରେ ଯଦି କାହାର ଭୁଲ୍‌ ଯୋଗୁ ଗାଈ ମରିଯାଏ ତେବେ ତାଙ୍କ ଉପରେ ସବୁ ପ୍ରକାର ସାମାଜିକ ପ୍ରତିବନ୍ଧକ ଲାଗୁ କରାଯାଏ। ତାଙ୍କୁ ଗଙ୍ଗାସ୍ନାନ କରିବା ଲାଗି କୁହାଯାଏ। ଏମିତିକି ଗ୍ରାମବାସୀଙ୍କୁ ଭୋଜି ଦେବା ସହ ନାବାଳିକାର ବାହାଘର କରିବା ଲାଗି ତାଙ୍କୁ କୁହାଯାଏ। ପାପରୁ ମୁକ୍ତି ପାଇବା ଲାଗି କନ୍ୟାଦାନ ଏକମାତ୍ର ଉପାୟ ବୋଲି ସେମାନଙ୍କ ବିଶ୍ୱାସ ରହିଛି।