ଏଇ ଭାରତରେ

ଗରିବଙ୍କ ସେବା କୌଣସି ପୂଜାଠାରୁ ବି ଅଧିକ। ଏମିତି ଭାବନା ନେଇ ଧାନବାଦର କେତେଜଣ ଯୁବକ ପ୍ରତିମାସରେ ଗରିବଙ୍କୁ ଖାଇବାକୁ ଦେଉଛନ୍ତି। ସେମାନେ ନିଜସ୍ବ ଉଦ୍ୟମରେ ଏହି ସେବା କରୁଛନ୍ତି। ଯୁବକମାନେ ଧାନବାଦ ରାଇଜିଂ ଚ୍ୟାରିଟେବଲ ସୋସାଇଟି ଗଠନକରି ପ୍ରତିମାସ ଦ୍ୱିତୀୟ ରବିବାରରେ ୩୫୦ଜଣ ଗରିବଙ୍କୁ ଖାଇବାକୁ ଦେଉଛନ୍ତି। ଧାନବାଦ ଗଲ୍ଫ ପଡିଆର ଖଣ୍ଡେଶ୍ୱରୀ ମନ୍ଦରି ସମ୍ମୁଖରେ ଭୋଜନର ବ୍ୟବସ୍ଥା କରାଯାଉଛି। ଏଥିରେ ବେଶି ଭିକାରୀ ଓ କୁଷ୍ଠରୋଗୀ ଭୋଜନ କରୁଛନ୍ତି। ଏଠାରେ ଜାତିଧର୍ମର ବାଧା ନାହିଁ। ସମସ୍ତେ ଗୋଟିଏ ଜାଗାରେ ବସି ଭୋଜନ କରୁଛନ୍ତି। ଖାସ୍‌ କଥା ହେଉଛି, ସଂସ୍ଥାର କେହି ସଭାପତି କି ସମ୍ପାଦକ ନାହାନ୍ତି। ସୋସାଇଟିର ସଦସ୍ୟ ରାଜନ ସିହ୍ନା ୧୯୮୬ରେ ଏକ କ୍ରିକେଟ କ୍ଲବ୍‌ ଗଢି ଖେଳର ପ୍ରସାର ଲାଗି କାର୍ଯ୍ୟ କରିଥିଲେ। ପରେ କ୍ଲବ୍‌ର ବହୁ ଖେଳାଳି ଚାକିରି କରିବାପରେ ରାଜନ ସେମାନଙ୍କ ସହଯୋଗରେ ଗରିବଙ୍କୁ ଭୋଜନ ଉପଲବ୍ଧ କରାଇବା ଲାଗି ୨୦୧୩ରେ ପ୍ରଥମେ ରାଇଜିଂ ଚ୍ୟାରିଟେବଲ ସୋସାଇଟି ପ୍ରତିଷ୍ଠା କରିଥିଲେ। ପ୍ରଥମେ ଏଥିରେ ୮୭ ଜଣ ସଦସ୍ୟ ଥିଲେ ଓ ୧୨୨ ଜଣଙ୍କୁ ଖାଇବାକୁ ଦିଆଯାଉଥିଲା। ଏବେ ଏହି ସଂସ୍ଥାରେ ୨୭୦ ଜଣ ସଦସ୍ୟ ରହିଛନ୍ତି। କେବଳ ଭୋଜନ ନୁହେଁ ଏହି ସୋସାଇଟି ପକ୍ଷରୁ ଗରିବଙ୍କୁ କମ୍ବଳ ଓ ବସ୍ତ୍ର ବିତରଣ କରାଯାଉଛି। ଏହି ସେବା ପାଇଁ ସୋସାଇଟିର ପ୍ରତ୍ୟେକ ସଦସ୍ୟ ବର୍ଷକୁ ୧ ହଜାର ଟଙ୍କା ଦେଉଛନ୍ତି। ଅଧିକ ଅର୍ଥ ଦରକାର ହେଲେ ସଦସ୍ୟମାନେ ତାହା ଦେଇଥାନ୍ତି।